ପ୍ରଣାମ ଅନୁଷ୍ଠାନର ନୃତ୍ୟ ଶିଳ୍ପୀଙ୍କ କୃତିତ୍ୱ

ବୈାଦ୍ଧ:- ଇଣ୍ଡିଆ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚର ପକ୍ଷରୁ ଭୁବନେଶ୍ୱର ସ୍ଥିତ ଭଂଜକଳା ମଣ୍ଡପ ଠାରେ ଇଣ୍ଡିଆନ ଡ୍ୟାନ୍ସ ଏକାଡେମୀ ଏବଂ ଏସିଆନ ଡ୍ୟାନ୍ସ ସୋସାଇଟ ମିଳିତ ଆନୁକୁଲ୍ୟରେ ଗୁରୁ ମନମୋହନ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ତିନିଦିନିଆ ଜାତୀୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଓଡିଶା, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଦିଲ୍ଲି, ଆସାମ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ରାଜ୍ୟର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ମହୋତ୍ସବରେ ଗୁରୁ ଡଃ ମନୋଜ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ବୈାଦ୍ଧର ପ୍ରଣାମ ନୃତ୍ୟାନୁଷ୍ଠାନର କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ ।

ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରି ପ୍ରଣାମ ଅନୁଷ୍ଠାନର ଅନୀଶା ମେହେର, ଦିବ୍ୟାଚଂଳି ପାଣ୍ଡେ, ଶୁଭ୍ରା ଶୁଭଙ୍କରୀ ସାହୁ, ସୁପ୍ରିସ୍ମିତା ମହାରଣା ଏବଂ ମୁସ୍କାନ ମେହେରଙ୍କୁ ଭାରତୀୟ କଳାଶ୍ରୀ କୋମଳ ସମ୍ମାନରେ ସମ୍ମାନିତ କରିବା ସହିତ ଗୁରୁ ପ୍ରଶାନ୍ତ ଭାଇନାଙ୍କୁ କଳାଶ୍ରୀ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବରେ ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ସଂଗୀତ ନାଟକ ଏକାଡେମୀ ସଚିବ ବିଜୟ କୁମାର ଜେନା , ବିଧାୟକ ଅନନ୍ତ ନାରାୟଣ ଜେନା, ଓଡିଶୀ ନୃତ୍ୟ ଗବେଷକ, ଡଃ ମନୋଜ କୁମାର ବେହେରା, ଏମଡିଏଚଆଇର ସଂଜୟ ମିଶ୍ର, ଗୁରୁ ଦେବ ପ୍ରସାଦ ଦାସ, ବାବା ଅଭିରାମ ପ୍ରମୁଖ ଯୋଗଦେଇଥିଲେ । ବୈାଦ୍ଧ ପ୍ରଣାମ ଅନୁଷ୍ଠାନର ନୃତ୍ୟ ଶିଳ୍ପୀଙ୍କର ଏହି କୃତିତ୍ୱକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି ।

Comments (0)
Add Comment