ହାଇକୋର୍ଟଙ୍କ ନିର୍ଦ୍ଦେଶ : ପ୍ରବାସୀଙ୍କୁ ଅଟକାଇ ତାଙ୍କର ଖାଇବା,ପିଇବା ବ୍ୟବସ୍ଥା କର

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭୂତାଣୁର କାୟା କରାଳ ରୂପ ଧାରଣ କରିଆସୁଥିବା ବେଳେ ଭାରତରେ ମଧ୍ୟ ଏହା ଏକ ସପ୍ତାହ ମଧ୍ୟରେ ଭୀଷଣ ଭାବରେ ଆଗକୁ ବଢ଼ିଚାଲିଛି । ଆଜି ୨୪ ଘଣ୍ଟା ମଧ୍ୟରେ କରୋନାରେ ଛଅ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରବାସରୁ ରାଜ୍ୟକୁ ଫେରୁଥିବା ଲୋକମାନଙ୍କୁ ସୀମାନ୍ତରେ ଅଟକାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ପ୍ରବାସରୁ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଏହି ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ଭିତରେ ସଂକ୍ରମଣର ଭୟ ଅଧିକ ଥିବାରୁ ସମସ୍ତଙ୍କ ସୁବିଧା ପାଇଁ ପ୍ରବାସ ବ୍ୟକ୍ତିମାନଙ୍କୁ ସୀମାନ୍ତରେ ଅଟକାଇ ସେମାନଙ୍କର ଖାଇବା, ପିଇବା ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ବନ୍ଦ ଥିବା ସ୍କୁଲ, କଳେଜ୍‌ରେ ସେମାନଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଉ । ରାଜ୍ୟର ଜିଲ୍ଲାଗୁଡ଼ିକରେ ଭିତରେ ମଧ୍ୟ ଏହି ନିୟମ ପାଳନ କରିବାକୁ ହାଇକୋର୍ଟ କହିଛନ୍ତି । ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟଯେ, ରାଜ୍ୟକୁ ଏବେ ପ୍ରବାସୀମାନଙ୍କର ସୂଅ ଛୁଟିବାରେ ଲାଗିଛି । ଇତିମଧ୍ୟରେ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି । ଗତକାଲି ନୂଆଦିଲ୍ଲୀର ସନ୍ନିକଟ ଆନନ୍ଦବିହାରଠାରେ ପ୍ରବାସକୁ ଫେରିବା ପାଇଁ ଲୋକମାନଙ୍କର ଯେଉଁ ଭିଡ଼ ଦେଖାଯାଇଥିଲା ତାହା ମୋଦିଙ୍କ ସାମାଜିକ ଦୂରତ୍ୱକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରୁଥିଲା । ଏଭଳି ସ୍ଥିତିରେ ପ୍ରବାସରେ ରହୁଥିବା ଓଡ଼ିଆମାନଙ୍କ ମଧ୍ୟରେ ସଂକ୍ରମିତ ଯେ ଅଧିକ ନଥିବେ ତାକୁ ନେଇ ଏବେ ଚିନ୍ତା ବଢ଼ିଛି । ତାଜା ସୂଚନା ଅନୁଯାୟୀ ଦେଶରେ ଏବେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୯୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସକାଳେ ୭ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି କେରଳରେ ୧୮୨ଜଣ ଆକ୍ରାନ୍ତ ହୋଇଛନ୍ତି । ସମଗ୍ର ବିଶ୍ୱରେ ୧୯୯ଟି ଦେଶକୁ କରୋନା ଗ୍ରାସ କରିଥିବା ବେଳେ ୩୦,୮୮୨ ଜଣ ଏ ପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ବେଳେ ସାଢ଼େ ଛଅ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି ।

Comments (0)
Add Comment