ଭୁବନେଶ୍ୱର: ଐତିହ୍ୟ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସର୍ବପୁରାତନ ତଥା ୧୦୦ବର୍ଷ ପୂରଣ କରିଥିବା ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଯୋଜନାରେ କରାଯିବ ସାମିଲ । ଏଥିରେ ୪୯ଟି ସ୍କୁଲକୁ ଚିହ୍ନଟ କରାଯାଇଛି । ୪୯ଟି ସ୍କୁଲକୁ ବିକଶିତ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବାକୁ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଇଛି । ସେହି ସଂସ୍ଥା ସ୍କୁଲ ପରିଦର୍ଶନ କରି ୧୩ଟି ସ୍କୁଲର ସମ୍ଭାବ୍ୟତା ରିପୋର୍ଟ ପ୍ରଦାନ କରିଛି । ଐତିହ୍ୟ ବିଦ୍ୟାଳୟ କାର୍ଯ୍ୟ ସରକାର ଓବିସିସିକୁ ପ୍ରଦାନ କରିଛନ୍ତି । ଏସଂପର୍କିତ ତଥ୍ୟ ସେହି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କମିଟି (ଡିଏଲ୍ସି) ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଓବିସିସି ।
ଚିଠି ଅନୁସାରେ, ଐତିହ୍ୟ ଯୋଜନାରେ ସାମିଲ ହୋଇଥିବା କଟକ ଜିଲ୍ଲାର ସ୍କୁଲ ମଧ୍ୟରୁ ପ୍ରାରମ୍ଭିକ ଭାବେ ୭ଟି ସ୍କୁଲର ସମ୍ଭାବ୍ୟ ଡିପିଆର୍ ପ୍ରସ୍ତୁତ ସରିଛି । ଏଥିରେ ପ୍ୟାରୀ ମୋହାନ ଏକାଡେମୀ, ଭକ୍ତମଧୁ ବିଦ୍ୟାପୀଠ, ରେଭେନ୍ସା କଲିଜିଏଟ୍ ସ୍କୁଲ, ବିକେ ବିଦ୍ୟାପୀଠ, ମୋହନ ସୁବୁଦ୍ଧି ହାଇସ୍କୁଲ, କାଳିବଜାର ସରକାରୀ ବାଳିକା ହାଇସ୍କୁଲ, ରାଣୀହାଟ ହାଇସ୍କୁଲକୁ ଚିହ୍ନଟ କରାଯାଇଛି । ସେହିପରି ଜଗତ୍ସିଂହପୁରର ଶାରଦା ଏକଡେମୀ ସରକାରୀ ହାଇସ୍କୁଲ, କୁଜଙ୍ଗର ବିବି ସରକାରୀ ହାଇସ୍କୁଲ, ଖୋର୍ଦ୍ଧା ଜିଲ୍ଲାର ବିଜେବି ହାଇସ୍କୁଲ, ପୁରୀ ଜିଲ୍ଲାର ଜିଲ୍ଲା ସ୍କୁଲ, କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା ହାଇସ୍କୁଲର ପ୍ରାରମ୍ଭିକ ଭାବେ ଉନ୍ନୀତକରଣ କରାଯିବ । ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଅଧୀନରେ ଗଠିତ ଜିଲ୍ଲାସ୍ତରୀୟ କମିଟି ଏକ ବୈଠକ କରିବାକୁ ନିର୍ଦ୍ଦେଶ ହୋଇଛି । ଏହି ବୈଠକରେ ଡିପିଆର୍ର ସମୀକ୍ଷା ଓ ପରିବର୍ତ୍ତୀ ଯାଞ୍ଚ ଅନୁମୋଦନ ଇଏଫ୍ସି ଦ୍ୱାରା ଅନୁମୋଦିତ ହାର ଅର୍ଥାତ୍ ସମସ୍ତ ଖର୍ଚ୍ଚ ମିଶାଇ ବିଦ୍ୟାଳୟ ପିଛା ୩ କୋଟି ୯୨ ଲକ୍ଷ ୪ ହଜାର ମଧ୍ୟରେ ହୋଇଛି କି ନାହିଁ ତାର ସମୀକ୍ଷା କରିବେ ।