ବାଲିଗୁଡ଼ା: ନିଶା କାରବାର ବିରୋଧରେ କନ୍ଧମାଳ ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ସ୍ପେଶାଲ୍ ଡ୍ରାଇଭ୍ । ୭୦ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି କନ୍ଧମାଳ ପୋଲିସ୍ । ଜିଲ୍ଲାକୁ ମାଓ ମୁକ୍ତ କରିବା ପରେ ଏବେ ଜିଲ୍ଲାରୁ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ ଚାଲିଛି ଜୋରଦାର୍ ଅପରେସନ୍ । ୪ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ୬୮ ହଜାର ୭ଶହ ୨୩ କେଜି ୨୬୦ ଗ୍ରାମ୍ ବେଆଇନ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫଙ୍କ ମଧ୍ୟରେ ୯୩ ଜଣ ଅଭିଯୁକ୍ତ ପୁରୁଷ ଥିବା ବେଳେ ୧୧ ଜଣ ମହିଳା ଅଭିଯୁକ୍ତ ହୋଇଥିବା ସୂଚନା ମିଳିଛି । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣରେ ନିୟୋଜିତ ୩୮ ଟି ଗାଡ଼ି ଜବତ କରିଛି ପୋଲିସ୍ । ଯେଉଁଥିରେ ୧୨ ଟି ଦୁଇଚକିଆ,୫ଟି ୩ ଚକିଆ ଓ ୨୧ ଟି ୪ ଚକିଆ ଗାଡ଼ି ରହିଥିବା ଜଣାପଡ଼ିଛି । ଏହି ଅପରେସନ୍ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ଏବଂ କନ୍ଧମାଳ ଜିଲ୍ଲାକୁ ନିଶାମୁକ୍ତ କରିବା ଆମର ଲକ୍ଷ୍ୟ। ଏଥିସହିତ ଯେଉଁମାନେ ଏହି ନିଶା କାରବାରରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ଅନ୍ୟପଟେ ଯୁବ ପିଢ଼ି ନିଶାଠାରୁ ଦୂରେଇ ରୁହନ୍ତୁ ଏବଂ ନିଜ ବାପା,ମା’ଙ୍କ ସ୍ବପ୍ନକୁ ସାକାର କରନ୍ତୁ ବୋଲି ସନ୍ଦେଶ ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେ ।