ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଏସ୍‌ଆଇଆର୍‌

ଭୁବନେଶ୍ୱର : ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)। ଏ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସହ ବୈଠକ ବସିଥିଲା। ସମ୍ଭବତଃ ଚଳିତ ମାସରେ ହିଁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏ ନେଇ ଯେ କୌଣସି ଦିନ ବିଜ୍ଞପ୍ତି ଘୋଷଣା ଜାରି ହୋଇପାରେ ।  ଏସ୍‌ଆଇଆର୍‌ ଆରମ୍ଭ ପୂର୍ବରୁ ଭୋଟରଙ୍କ ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକା ମେଳ) ଜୋରସୋର୍‌ରେ ଚାଲିଛି । ମେ’ ୫ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୩୬ ଲକ୍ଷ ୪୬ ହଜାର ୫୭୦ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୫ ଲକ୍ଷ ୬୧ ହଜାର ୩୫୯ ଭୋଟରଙ୍କ ମ୍ୟାପିଂ ସରିଛି । ଅର୍ଥାତ୍‌ ୯୩.୮% ମ୍ୟାପିଂ ସରିଛି । ହେଲେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୮୫ ହଜାର ୨୧୧ ଭୋଟରଙ୍କ ମ୍ୟାପିଂ ହୋଇପାରିନି ।   

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏହି ଭୋଟରଙ୍କର ୨୦୦୨ ସହ ତଥ୍ୟ ମେଳ ହୋଇପାରିନାହିଁ । ୨୦୦୨ ଭୋଟର ତାଲିକାରେ ଯେଉଁ ଭୋଟର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ (ବାପା, ମା’, ଜେଜେ, ଜେଜେ ମା’) ନାମ ମିଳିନାହିଁ, ସେମାନଙ୍କର ମ୍ୟାପିଂ ହୋଇପାରିନି । ମ୍ୟାପିଂରେ ସବୁଠାରୁ ଖରାପ ପ୍ରଦର୍ଶନ ଭୁବନେଶ୍ୱରର । ଭୁବନେଶ୍ୱରରେ ମୋଟ ଭୋଟର ୭ ଲକ୍ଷ ୮୫ ହଜାର ୭୫୮ । ଏବେ ସୁଦ୍ଧା ୬ ଲକ୍ଷ ୨୫ ହଜାର ୧୯୫ ଭୋଟରଙ୍କର ମ୍ୟାପିଂ ହୋଇଛି, ଯାହାକି ୭୯.୫୭% । ୧ ଲକ୍ଷ ୬୦ ହଜାର ୫୬୩ ଜଣଙ୍କର ମ୍ୟାପିଂ ହୋଇପାରିନି ।   

Comments (0)
Add Comment