ଭୁବନେଶ୍ବର, : ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ଗୃହ ସରଗରମ । ଆରମ୍ଭରୁ ବିରୋଧୀଙ୍କ ନାରାବାଜିରେ କମ୍ପିଲା ବିଧାନସଭା । ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କଲେ ବିରୋଧୀ । କୋଟିଆ ଏବଂ ଗଞ୍ଜାମ ଓ ବନ୍ୟା ତାତିରେ ଧୋଇଗଲା ପ୍ରଶ୍ନ । ଫଳରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସପ୍ତଦଶ ବିଧାନସଭାର ଆଜି ଦ୍ବିତୀୟ ଦିନ । ଗଲକାଲି ଭଳି ଆଜି ବି ପ୍ରଶ୍ନକାଳ ଧୋଇଯାଇଛି । ବିରୋଧୀ ବିଜେଡି ଓ କଂଗ୍ରେସର ସଦସ୍ୟମାନେ କୋଟିଆ ଏବଂ ଗଞ୍ଜାମ ବନ୍ୟା ପ୍ରସଂଗରେ ସରକାରଙ୍କୁ ଘେରିଥିଲେ । ପୋଡ଼ିୟମ ସାମ୍ନାରେ ପ୍ଲା-କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ଏହା ଉପରେ ଆଲୋଚନା କରିବାକୁ ମୁଖ୍ୟ ବିରୋଧୀ ଦଳ ବିଜେଡିର ଦାବି କରିଥିଲା । ଏପଟେ କଂଗ୍ରେସ ସଦସ୍ୟ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ।
ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟଭାଗରେ ନାରାବାଜି ଓ ପ୍ରତିବାଦ କରିଥିଲେ । ସେପଟେ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ଦଳର ସଦସ୍ୟଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି । ମାତ୍ର ଏହା ସତ୍ତ୍ବେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଜାରି ରଖିଥିଲେ । ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।