ବୌଦ୍ଧ,୨/୫ : ଆଜି ମାଟ୍ରିକ୍ (ଦଶମ ଶ୍ରେଣୀ) ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବାରୁ ଶିକ୍ଷା ମଣ୍ଡଳୀ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ବୌଦ୍ଧ ଜିଲ୍ଲାର ୭୯ଟି ବିଦ୍ୟାଳୟରୁ ମୋଟ ୬୬୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ପ୍ରକାଶିତ ଫଳାଫଳ ଅନୁଯାୟୀ, ଜିଲ୍ଲାର ସମୁଦାୟ ଉତ୍ତୀର୍ଣ୍ଣ ହାର ୯୫.୫୮ ପ୍ରତିଶତ ରହିଛି, ଯାହାକି ପୂର୍ବବର୍ଷ ତୁଳନାରେ ସନ୍ତୋଷଜନକ ଫଳାଫଳ ପ୍ରକାଶ ପାଇଛି । ଉଚ୍ଚ ଶ୍ରେଣୀର ଫଳାଫଳ ଦେଖିଲେ, A1 ଶ୍ରେଣୀରେ ୧୨ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ଫଳାଫଳ ହାସିଲ କରିଥିବା ବେଳେ A2 ରେ ୯୯ ଜଣ ସ୍ଥାନ ପାଇଛନ୍ତି। ସେହିପରି B1 ଶ୍ରେଣୀରେ ୨୬୯ ଜଣ ଓ B2 ରେ ୬୯୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟମ ଶ୍ରେଣୀରେ C ଗ୍ରେଡ୍ରେ ୧୫୨୮ ଜଣ ଓ D ଗ୍ରେଡ୍ରେ ୨୦୬୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ତଳ ସ୍ତରରେ E ଶ୍ରେଣୀରେ ୧୬୧୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୯୦ ଜଣ ଛାତ୍ରଛାତ୍ରୀ ଅସଫଳ ହୋଇଛନ୍ତି। ଏହି ଫଳାଫଳରେ ୨୯୪୬ ଜଣ ଛାତ୍ର ଓ ୩୩୦୭ ଜଣ ଛାତ୍ରୀ ପାସ୍ ହୋଇଥିବାବେଳେ ମୋଟ ୬୨୭୧ ଜଣ ଛାତ୍ର ଛାତ୍ରୀ ପାସ୍ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ମୋଟ ୧୩ଟି ବିଦ୍ୟାଳୟ ୧୦୦ ପ୍ରତିଶତ ଫଳାଫଳ ରଖିଥିବା ସୂଚନା ମିଳିଛି । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଏହି ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ଏହି ଫଳାଫଳକୁ ନେଇ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖାଯାଇଛି। ଶିକ୍ଷକମାନେ ଏହି ସଫଳତାର ପଛରେ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସହିତ ଅଭିଭାବକଙ୍କ ସହଯୋଗ ଓ ବିଦ୍ୟାଳୟର ଶିକ୍ଷା ପରିବେଶକୁ ମୂଳ କାରଣ ଭାବେ ଦେଖିଛନ୍ତି। ଶିକ୍ଷା ବିଭାଗର କର୍ମକର୍ତ୍ତାମାନେ ମଧ୍ୟ ଏହି ଫଳାଫଳକୁ ସ୍ୱାଗତ କରିଥିବା ସହ ଆଗାମୀ ଦିନରେ ଆହୁରି ଭଲ ଫଳାଫଳ ପାଇଁ ପ୍ରୟାସ ଜାରି ରଖିବାକୁ ଚେଷ୍ଟା କରିବେ କହିଛନ୍ତି ।