ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ଉପହାର କିଟରେ ମିଳିବ କୋରାପୁଟ କଫି

ଭୁବନେଶ୍ୱର: ସରକାରୀ କାର୍ଯ୍ୟକ୍ରମର ଉପହାର କିଟରେ ମିଳିବ କୋରାପୁଟ କଫି । ସରକାରୀ ବୈଠକରେ ବି କୋରାପୁଟ କଫିର ସ୍ୱାଦ ପାଇବେ । କୋରାପୁଟ କଫିର ଅଧିକ ପ୍ରଚାର ପ୍ରସାର ପାଇଁ ଏମିତି କିଛି ପଦକ୍ଷେପ ନିଆଯାଉଛି ।
ଓଡ଼ିଶାର ସ୍ୱଦେଶୀ ଉତ୍ପାଦ “କୋରାପୁଟ କଫି’ର ପ୍ରଚାର ଓ ପ୍ରସାର ସହ ଏହାକୁ ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ଲୋକଙ୍କ ସରକାର ପ୍ରତିବଦ୍ଧ । ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଏହା ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ବିଭାଗ, ନିଗମ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ସରକାରୀ ବୈଠକମାନଙ୍କରେ କୋରାପୁଟ କଫି ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ସ୍ମାରକୀ ଉପହାର କିଟରେ ମଧ୍ୟ କୋରାପୁଟ କଫି ରହିବ । ଏହି ପଦକ୍ଷେପ ଦ୍ୱାରା ଜନଜାତି କଫି ଚାଷୀ, ବିଶେଷ କରି ମହିଳା ଉତ୍ପାଦକମାନଙ୍କର ଆର୍ଥିକ ଉନ୍ନତି ହେବ । ତା’ସହିତ ନୂତନ ବଜାର ସୁଯୋଗକୁ ପ୍ରୋତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି।

Comments (0)
Add Comment