ଛାଡ଼ଖାଇକୁ ନେଇ ସବୁଠି ଉତ୍ସାହ, ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼

ଭୁବନେଶ୍ବର: ଛାଡ଼ଖାଇକୁ ନେଇ ଆଜି ସବୁଠି ଉତ୍ସାହ। ଦୀର୍ଘଦିନର ଆମିଷ ବର୍ଜନ ପରେ ଛାଡ଼ଖାଇରେ ଆମିଷ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଆଗ୍ରହ। ଏହାକୁ ନେଇ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଛି। ମାଛ, ମାଂସ, ଚିଙ୍ଗୁଡ଼ି ଓ କଙ୍କଡ଼ା କିଣିବା ପାଇଁ ଦୋକାନଗୁଡ଼ିକରେ ଲାଗିଛି ଗ୍ରାହକଙ୍କ ଲମ୍ବା ଧାଡ଼ି।

ବିଶେଷକରି ଜୀଅନ୍ତା କଙ୍କଡ଼ା ଓ ତାଜା ଚିଙ୍ଗୁଡ଼ିର ଚାହିଦା ଅଧିକ ରହିଛି। ବଜାରରେ ଜୀଅନ୍ତା କଙ୍କଡ଼ା ଏବଂ  ଚିଙ୍ଗୁଡ଼ି ଗ୍ରାହକଙ୍କୁ ଆକର୍ଷିତ କରୁଛି। ନିଜ ପସନ୍ଦ ଅନୁଯାୟୀ ତାଜା ଆମିଷ କିଣିବାକୁ ଲୋକେ ବଜାରରେ ଭିଡ଼ ଜମାଉଛନ୍ତି।

ଛାଡ଼ଖାଇରେ ଘରେ ଘରେ ବିଭିନ୍ନ ପ୍ରକାର ଆମିଷ ତରକାରୀ ଓ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତିର ଆୟୋଜନ ଚାଲିଛି। ଏହି ଅବସରରେ ଆମିଷ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଦିନ ବଢ଼ିବା ସହ ବଜାରରେ ଗ୍ରାହକଙ୍କ ଭିଡ଼ ଆହୁରି ବଢ଼ିବାର ଆଶା ରହିଛି। ମଟନ୍ ଦୋକାନରେ ମଧ୍ୟ ଭିଡ ଦେଖିବାକୁ ମିଳିଛି ।

Comments (0)
Add Comment