ଏପ୍ରିଲ ମାସରେ ୧୬% ହ୍ରାସ ହୋଇଛି ଏଲ୍‌ପିଜି ଚାହିଦା

ନୂଆଦିଲ୍ଲୀ; ଏପ୍ରିଲ ମାସରେ ଦେଶରେ ୧୬% ହ୍ରାସ ହୋଇଛି ଏଲ୍‌ପିଜି ଚାହିଦା। ଆମେରିକା-ଇରାନ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଅଶୋଧିତ ତେଲ ଏବଂ ଏଲ୍‌ପିଜି ଯୋଗାଣ ପ୍ରଭାବିତ ରହିଛି । ଏହାର ପ୍ରଭାବ ଦେଶ ମଧ୍ୟରେ ଉଭୟ ଘରୋଇ ଏବଂ କମର୍ସିଆଲ ଏଲ୍‌ପିଜି ଉପରେ ପଡିଛି। ସରକାରୀ ଆକଳନ ମୁତାବକ, ଏପ୍ରିଲରେ ଏଲ୍‌ପିଜି ଚାହିଦା ୧୬.୧% ହ୍ରାସ ହୋଇ ୨.୨ ନିୟୁତ ରହିଛି । ଗତ ବର୍ଷ ସମାନ ସମୟରେ ଏହା ୨.୬୨ ନିୟୁତ ଟନ୍‌ ରହିଥିଲା । 

ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍‌ ଆନାଲିସିସ୍‌ ସେଲ୍‌ ମୁତାବକ, ମାର୍ଚ୍ଚରେ ୨.୩୭୯ ନିୟୁତ ଟନ୍ ତୁଳନାରେ ଏପ୍ରିଲରେ ଗ୍ୟାସ ବିକ୍ରି ହ୍ରାସ ପରିଲକ୍ଷିତ ହୋଇଛି । ଏଲ୍‌ପିଜି ଉପଲବ୍ଧତା କମିଥିବାରୁ ସରକାର ହୋଟେଲ ଏବଂ ଶିଳ୍ପ କ୍ଷେତ୍ରକୁ ପ୍ରଦାନ କରାଯାଉଥିବା କମର୍ସିଆଲ ଗ୍ୟାସ ଯୋଗାଣ ହ୍ରାସ କରାଯାଇଛି । ଘରୋଇ ଗ୍ୟାସ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି । ଏହାବାଦ ଏପ୍ରିଲରେ ବିମାନ ଇନ୍ଧନ ଚାହିଦା ୧.୩୭% ହ୍ରାସ ହୋଇ ୭.୬୧ ଲକ୍ଷ ଟନ୍‌ ରହିଛି । ସେହିଭଳି ଡିଜେଲ ଚାହିଦା ୦.୨୫% ବୃଦ୍ଧି ହୋଇ ୮.୨୮୨ ନିୟୁତ ଟନ୍‌ ଛୁଇଁଛି । ମାର୍ଚ୍ଚରେ ଏହା ୮.୧% ବୃଦ୍ଧି ହୋଇଥିଲା । ଏପ୍ରିଲରେ ପେଟ୍ରୋଲ ବିକ୍ରି ୬.୩୬% ବଢ଼ିଛି । ଭାରତ ଏହାର ମୋଟ ଏଲ୍‌ପିଜି ଚାହିଦାର ୬୦% ଆମଦାନି ଜରିଆରେ ପୂରଣ କରିଥାଏ । ଏହାର ଏକ ବଡ ଅଂଶ ହୋର୍ମୁଜ ପ୍ରଣାଳୀ ଦେଇ ଆସିଥାଏ । ମାତ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏହି ଜଳପଥକୁ ଇରାନ ବନ୍ଦ କରିଦେଇଛି । ଏହା ପୂର୍ବରୁ ସରକାର ଘରୋଇ ସିଲିଣ୍ଡର ବୁକିଂ ଲାଗି ୨୫ ଦିନର ଲକ୍‌ ଇନ୍‌ ପିରିୟଡ ଘୋଷଣା କରିଛନ୍ତି । ସେହିଭଳି ଗ୍ରାମାଞ୍ଚଳରେ ବୁକିଂ ବ୍ୟବଧାନ ୪୫ ଦିନ ରଖାଯାଇଛି । ମେ ପହିଲାରେ କମର୍ସିଆଲ ସିଲିଣ୍ଡର ୯୯୪ ଟଙ୍କା ମହଙ୍ଗା ହୋଇଛି ।

Comments (0)
Add Comment