ଭୁବନେଶ୍ଵର : ବାତ୍ୟା ଅର୍ଣ୍ଣବ ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ରାଜୀବ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ବନ୍ୟା ସ୍ଥିତି ମୁକାବିଲା ଲାଗି ଉଦ୍ୟମ ଚାଲିଛି । ପାଣି ଘେରରୁ NDRF, ଓଡ୍ରାଫ ଟିମ୍ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ କୋଷ୍ଟଗାର୍ଡର ସହାୟତା ଲୋଡା ଯାଇଛି । କୋଷ୍ଟଗାର୍ଡକୁ ହେଲିକପ୍ଟର ମଗାଯାଇଛି । ଗଞ୍ଜାମର କିଛି ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ପାଣିରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ ପାଇଁ ବ୍ୟବସ୍ଥା ହେଉଛି ।
ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ବର୍ଷା ହୋଇଛି । ଗଞ୍ଜାମରେ ୨୨ଟି ବ୍ଲକର ୨୯୯ ଗାଁର ୪୪ ହଜାର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି । ୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୨୦ ଲୋକଙ୍କୁ ଏୟାରଲିଫ୍ଟ କରାଯିବ । କୋଷ୍ଟଗାର୍ଡ ସହ କଥା ହୋଇ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ପାଣି ଘେରରେ ଏବେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଶ୍ରୀକାକୁଲମରେ ରେଳ ବ୍ରିଜ୍ ଉପରେ ପାଣି ଚାଲୁଥିବା ଫଳରେ ଟ୍ରେନ୍ ଅଟକିଛି । ରୋଡ୍ ସୁବିଧା ଥିବା ଲୋକଙ୍କୁ ପଠାଇ ବାକି ଲୋକଙ୍କୁ ଷ୍ଟେସନରେ ସବୁ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର RD ଏସବୁ ମନିଟର କରୁଛନ୍ତି । ବର୍ଷା କମିଲେ ସ୍ଥିତି ସୁଧୁରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।