ଡରାଇଲାଣି ଘୂର୍ଣ୍ଣିବଳୟ : ୨୩ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର:  ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିଥିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ଅଧିକ ସକ୍ରିୟ ହେବା ସହ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ତେବେ ଏହା ପ୍ରଭାବରେ ୨୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ଓ ଏନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ସତର୍କ କରାଯାଇଛି।
ଅନ୍ୟପକ୍ଷରେ ଘୂର୍ଣ୍ଣିବଳୟ ପାଇଁ ରାଜ୍ୟରେ ବର୍ଷା ହେଉଥିଲେ ମଧ୍ୟ ପ୍ରଖର ଖରାତାତି ସାଙ୍ଗକୁ ଗୁଳୁଗୁଳି ସାଧାରଣ ଜନଜୀବନକୁ ପ୍ରଭାବିତ କରୁଛି। ବିଶେଷକରି ପୁରୀ, ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱର, ଗୋପାଳପୁର ଏବଂ ପାରାଦୀପରେ ହିଟ୍‌ ଇଣ୍ଡେକ୍ସ ଅଧିକ ରହୁଥିବାରୁ ସ୍ବାଭାବିକଠାରୁ ବେଶି ଗରମ ଅନୁଭବ ହେଉଛି। ଗୁରୁବାର ୯ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।

Comments (0)
Add Comment