ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଏହାପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ୨ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡକୁ ଗତି କରିପାରେ। ଅବପାତର ସ୍ଥିତି ଓ ତୀବ୍ରତା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାବାସୀଙ୍କୁ ପୁଣି ବର୍ଷା ଡର ଘାରିଛି।
ପାଣିପାଗ ଆକଳନ ଅନୁସାରେ, ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଛି।
ନୂଆ ଘୂର୍ଣ୍ଣିବଳୟର ପ୍ରଭାବରେ ଓଡ଼ିଶାରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇପାରେ। କିଛି ସ୍ଥାନରେ ବର୍ଷା, ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା ରହିଛି।

Comments (0)
Add Comment