ବାଲିଗୁଡ଼ା:କାଳବୈଶାଖୀ ନେଲା ବୃଦ୍ଧଙ୍କ ଜୀବନ। ଗତକାଲି କାଳବୈଶାଖୀ ପ୍ରଭାବରେ ଉଡ଼ି ଯାଇଥିଲା ଘରର ଛାତ ଏବଂ ପଡ଼ି ଯାଇଥିଲା କାଠ । ଘର କାଠ ପଡ଼ି ଗୁରୁତର ଆହତ ହୋଇଥିଲେ ବୃଦ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତ୍ତମଗଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ବୃଦ୍ଧ ଜଣକ କୁର୍ତ୍ତମଗଡ଼ ପଞ୍ଚାୟତର ସିନ୍ଦୁଲପଡ଼ି ଗାଁ ର ଜିତେନ୍ଦ୍ର ଦିଗାଳ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି କାଳବୈଶାଖୀ ପ୍ରଭାବରେ କୁର୍ତ୍ତମଗଡ଼ ଅଞ୍ଚଳର ଅନେକ ସ୍ଥାନରେ ଅପରାହ୍ନ ସମୟରେ ବର୍ଷା ପବନ ହୋଇଥିଲା। ଫଳରେ ଅନେକ ଗଛ ଭାଙ୍ଗିବା ସହ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଜିତେନ୍ଦ୍ରଙ୍କ ଘରର ଛାତ ଉଡ଼ିବା ସହ କାଠ ପଡ଼ି ଯାଇଥିଲ । ସେଥିରେ ଗୁରୁତର ଆହତ ହୋଇଥିଲେ ଜିତେନ୍ଦ୍ର । ପରିବାର ଲୋକେ ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।