ଗୁରୁବାର ମାଣବସା ଲଷ୍ମୀପୂଜା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୋହଲି ଗ୍ରାମରେ ମାଣବସା ଶେଷ ଗୁରୁବାର ଲଷ୍ମୀପୂଜା ଅବସରରେ ଲଷ୍ମୀ ନାରାୟଣ କ୍ଳବ ଆନୁକୂଲ୍ୟରେ ଆଜି ରାମାୟଣ ପରାୟଣର ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ଦିତା ନାଏକ ବ୍ୟାସ ଭାବେ ରାମାୟଣ ଗାନ କରିଥିଲେ ।ଶେଷରେ ସାମୁହିକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁଆଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା । ରାତିରେ ଶାଶ୍ୱତ ମେଲୋଡି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରିଥିଲେ । ଏହି ଉପଲକ୍ଷେ ସୁରମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର, ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର, ଖୁଂଟବନ୍ଧ ସରପଞ୍ଚ ପ୍ରତିନିଧି ବିକ୍ରମ ମହାନନ୍ଦିଆ, ନାଟ୍ୟ ନିର୍ଦ୍ଦେଶକ ପ୍ରଫୁଲ୍ଲ ବେହେରା, ସୁଗ୍ରୀବ ପ୍ରଧାନ ଯୋଗଦେଇ ଲଷ୍ମୀପୁରାଣ ଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଦୀର୍ଘ ବର୍ଷ ହେଲା ନାଟକ ମାଧ୍ୟମରେ ପରିବେଷଣ କରି ସମାଜରେ ଅତୀତରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବା ସନ୍ଦେଶ ଦେଇଥିଲେ । ଏଭଳି କାର୍ଯ୍ୟକ୍ରମ ବିନା କୌଣସି ସରକାରୀ ସହାୟତାରେ କରି ଆସୁଥିବାରୁ ଗ୍ରାମବାସୀଙ୍କୁ ସାଧୁବାଦ ଜଣାଇଥିଲେ । ତେବେ ସରକାର ଏହାକୁ ଗୁରୁତ୍ୱ ଦେଲେ ଆଗକୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବକ୍ତବ୍ୟରେ କହିଥିଲେ । ଶେଷରେ ସ୍ୱେଚ୍ଛାସେବୀ ପ୍ରକାଶ ବାରିକ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment