ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ରାମଧୁନ କ୍ଲବ ଚାମ୍ପିୟନ

ସୁବର୍ଣ୍ଣପୁର :ସୋନପୁର ରୟାଲ ପଡିଆଠାରେ ଚାଲିଥିବା ଦଶମ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଆଜି ଇଲେଭେନ ଷ୍ଟାର କଳାପଥର ଏବଂ ରାମଧୁନ କ୍ଲବ ସୋନପୁର ମଧ୍ୟରେ ଖୁବ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ରାମଧୁନ କ୍ଲବ ସୋନପୁର ଦଳ ୩-୧ ଗୋଲ ରେ ବିଜୟୀ ହୋଇ ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଟ୍ରଫି ହାସଲ କରିଛି । ଆଜି ମୁଖ୍ୟ ଅତିଥି ଭାବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଏଡ଼ିଏମ ସୂର୍ଯ୍ୟ ନାରାୟଣ ଦାଶ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ନୀଳାମ୍ବର ଶତପଥୀ, ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ବିଶିଷ୍ଟ ବ୍ୟବସାୟୀ ଗୁଣନିଧି ମେହେର ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଖେଳର ପ୍ରଥମାର୍ଦ୍ଧରେ ଇଲେଭେନ ଷ୍ଟାର ଦଳ ୧-୦ -ରେ ଆଗୁଆ ଥିଲା । ହେଲେ ଖେଳର ଦ୍ୱିତୀୟର୍ଦ୍ଧାରେ ଲଗାତାର ଭାବେ ରାମଧୁନ କ୍ଳବ ତିନୋଟି ଗୋଲ ସ୍କୋର କରି ମ୍ୟାଚକୁ ତାଙ୍କ ପକ୍ଷକୁ ନେଇଆସିଥିଲେ । ପ୍ରକାଶ ଥାଉ ଯେ ସୁବର୍ଣ୍ଣପୁରର ରାମଧୁନ କ୍ଲବ ବିଗତ ମାସରେ ବରପାଲି, ନୟାଗଡ଼ ଓ କେନ୍ଦୁଝରରେ ଆୟୋଜିତ ଅଲ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଲଗାତାର ଭାବେ ହ୍ୟାଟ୍ରିକ ଚାମ୍ପିୟନ ଟ୍ରଫି ହାସଲ କରିଥିବା ବେଳେ ଆଜି ୨୦୨୩ର ପ୍ରଥମ ଚାମ୍ପିୟନ ହୋଇଥିବା ଜଣାଯାଇଛି । ଆଜି ମ୍ୟାଚର ଆୟୋଜକ ରାକେଶ ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ରୟାଲ ସ୍ପୋର୍ଟିଂର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଆଜିର ଏହି ଚିତ୍ତାକର୍ଷକ ମ୍ୟାଚରେ ପ୍ରାୟ ୧୦ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହି ମ୍ୟାଚକୁ ଉପଭୋଗ କରିଥିଲେ ।

Comments (0)
Add Comment