ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗୀର ଜିଲ୍ଲା ଜରାସିଂହା ଚାମ୍ପିୟନ

ବାଲିଗୁଡ଼ା: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଗୋଷ୍ଠୀଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅତିଥି ଭାବେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଦୀପକ ପ୍ରଧାନ, ସିମନବାଡି ସମିତିସଭ୍ୟ ସାଧୁ ନାୟକ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ, ବିଧାୟକ ପ୍ରତିନିଧି ଦୀପକ ସାହୁ, ଏସ.ଆଇ ଲକ୍ଷ୍ମୀ ମାଝୀ, ଏ.ଏସ.ଆଇ ସୁବାସ ଚନ୍ଦ୍ର ବାଏକ ପ୍ରମୁଖ ଯୋଗ ଦେଇଥିଲେ । ରାମ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଗୋଟି ଟିମ ମଧ୍ୟରେ ତିନି ଦିନ ଧରି ଖେଳ ହୋଇଥିବା ବେଳେ ରବିବାର ଦିନ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ସିମନବାଡି ଓ ବଲାଙ୍ଗିର ଜରାସିଂହା ବ୍ରଜେନ୍ଦ୍ର ନାରାୟଣ ଆଥଲେଟିକ ଆସୋସିଏସନ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କୌଣସି ଦଳ ନିର୍ଦ୍ଧାରିତ ସମୟରେ ଗୋଲ କରିନଥିବା ବେଳେ ବଲାଙ୍ଗିର ଟିମ ସିମନବାଡି ଦଳକୁ ପେନାଲଟି ୩-୨ ଗୋଲ ଦେଇ ବଲାଙ୍ଗିର ଟିମ ବିଜୟ ହୋଇଥିଲା । ବିଜୟୀ ବଲାଙ୍ଗିର ଦଳକୁ ୨୦ ହଜାର ଟଙ୍କା ସହ ବିଜୟ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅଫ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ବାଲିଗୁଡା ଓ ରାଇକିଆ ମହିଳା ଫୁଟବଲ ଟିମ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଅନ୍ତର୍ଜାତୀୟ ରେଫରି ଶ୍ୟାମ ସୁନ୍ଦର ଫାଇନାଲ ଟୁର୍ଣ୍ଣାମେଣ୍ଟରେ ରେଫରି ଦାୟିତ୍ୱ ନିର୍ବାହ କରିଥିଲେ । ସିମନବାଡି ନେତାଜୀ ଆଥଲେଟିକ ସଂଘ ସଭାପତି ନାଗେଶ୍ୱର ରାଓ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନ କ୍ରମେ ସମ୍ପାଦକ ଶୁକଦେବ ପ୍ରଧାନ ଏହାର ପରିଚାଳନା କରିଥିବା ବେଳେ ଅମର ନାୟକ, ପପୁ ନାୟକ, ଜଗନ୍ନାଥ ନାୟକ, ଶିଶିର ପରିଛା ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment