ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅପାରଦର୍ଶିତା : ସରକାରୀ ସହାୟତା ପାଇଁ ନିର୍ମାଣ ଶ୍ରମିକ ବାରଦୁଆର

ବୈାଦ୍ଧ : କରୋନା ପାଇଁ ଲକ୍‌ଡାଉନ ସମୟରେ ରାଜ୍ୟର ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ବୌଦ୍ଧଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଯେତିକି ତତ୍ପରତା ଦେଖାଇବା କଥା ସେତିକି ଦେଖାଇ ନଥିଲା । ପ୍ରଥମ ପର୍ଯ୍ୟାୟର ୨୧ଦିନିଆ ଲକ୍‌ଡାଉନ ସରିଯାଇଥିଲେ ମଧ୍ୟ ଜଣେବି ନିର୍ମାଣ ଶ୍ରମିକକୁ ସହାୟତା ପ୍ରଦାନ କରିବାରେ ସଫଳ ହୋଇପାରିନଥିଲା । ଶ୍ରମିକମାନଙ୍କ ତାଲିକା ପ୍ରସ୍ତୁତ କରୁକରୁ ସରିଯାଇଥିଲା ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ।
ଅପ୍ରେଲ ୧୪ ତାରିଖ ପରେ ବୌଦ୍ଧ ଏନଏସି ସମେତ ୩ଗୋଟି ବ୍ଲକର କିଛି ନିର୍ମାଣ ଶ୍ରମିକ ଯେଉଁମାନେ ସହାୟତା ପାଇବାକୁ ଯୋଗ୍ୟ ସେମାନଙ୍କର ତାଲିକା ପ୍ରସ୍ତୁତ କରି ସମସ୍ତ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲା । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜାରି ତାଲିକାରେ ଅନେକ ତ୍ରୁଟିଥିବାରୁ ସହାୟତା ବାଣ୍ଟୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ତାଲିକାରେ ନାମନଥିବାରୁ ପଞ୍ଜିକୃତ ଯୋଗ୍ୟ ନିର୍ମାଣ ଶ୍ରମିକମାନେ କାଗଜପତ୍ର ଧରି ବାରଦ୍ୱାର ହେଉଥିବା ଦେଖିବାକୁ ମିଳୁଛି । ପ୍ରସ୍ତୁତ ହୋଇଥିବା ତାଲିକାରେ ନାମନଥିବା ହିତାଧିକାରୀ କାହାପାଖକୁ ଗଲେ ଓ କ’ଣ କଲେ ତାଲିକାଭୁକ୍ତ ହୋଇ ସହାୟତା ପାଇପାରିବେ ତାହାର ସନ୍ତୋଷଜନକ ଉତ୍ତର କାହାରି ପାଖରେ ନାହିଁ ।

ସହାୟତା ତାଲିକାରେ ଯୋଗ୍ୟ ହିତାଧିକାରୀମାନେ ନାମଦରଜ କରିବାପାଇଁ ଅଭିଯୋଗ ଫର୍ମ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ବଣ୍ଟନ କରୁଥିଲେ ମଧ୍ୟ ସେମାନେ ଗ୍ରହଣ କରୁନାହାନ୍ତି । ଏହି ଅଭିଯୋଗ ଫର୍ମକୁ ଜିଲ୍ଲାଶ୍ରମ କାର୍ଯ୍ୟାଳୟରେ ପ୍ରଦାନ ପାଇଁ ସେମାନେ ଲୋକଙ୍କୁ କହୁଛନ୍ତି । ଲକ୍‌ଡାଉନ ଚାଲିଥିବାରୁ ଓ ଯାତ୍ରୀ ପରିବହନ ବନ୍ଦ ହେତୁ ଦରଖାସ୍ତ ଧରି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲୋକେ ଆସିବା ଅସମ୍ଭବ ହୋଇପଡିଛି । ତଥାପି କିଛି ନିର୍ମାଣ ଶ୍ରମିକ ବାଇକ ଓ ସାଇକେଲ ଯୋଗେ ପୁଲିସ ଭୟରେ ଲୁଚିଛପି ଆସି ଶ୍ରମ କାର୍ଯ୍ୟାଳୟରେ ପହଞ୍ଚି ଯାଉଛନ୍ତି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମଧ୍ୟ ଫର୍ମ ଗ୍ରହଣ କରୁନାହିଁ ଓ ତାହା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦେବାପାଇଁ କହୁଛି । ଫଳରେ ତାଲିକାରୁ ବଞ୍ଚିତ ହୋଇଥିବା ପ୍ରାୟ ୧୦ହଜାର ନିର୍ମାଣ ଶ୍ରମିକ ବାରଦ୍ୱାର ହୋଇ ଖର୍ଚ୍ଚାନ୍ତ ଓ ହଇରାଣ ହେଉଥିବା ଦେଖିବାକୁ ମିଳେ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅପାରଦର୍ଶୀତା ଯୋଗୁଁ ତାଲିକାରେ ଅନେକ ତ୍ରୁଟି ରହିଛି । କିଛି ନିର୍ମାଣ ଶ୍ରମିକ ଗୋଟିଏ ଗାଁର ହୋଇଥିଲେ ମଧ୍ୟ ସେହି ଗ୍ରାମର ତାଲିକାରେ ତାଙ୍କର ନାମ ନଥାଇ ଅନ୍ୟ ଏକ ଶ୍ରମ ତାଲିକାରେ ବାହାରୁଛି । କେତେକ ହିତାଧିକାରୀଙ୍କ ନାମ ଅନ୍ୟ ପଞ୍ଚାୟତରେ ଓ ଅନ୍ୟ ବ୍ଲକରେ ମଧ୍ୟ ବାହାରୁଛି । ଯଦ୍ୱାରା ହିତାଧିକାରୀ ହଇରାଣ ହୋଇ ଏଠୁ ସେଠିକି ଧାଉଁଛନ୍ତି । ବଂଟନ କରିବା ଲୋକ ମଧ୍ୟ ଦ୍ୱନ୍ଦ୍ୱରେ ପଡୁଛି । ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କ ପାଖରେ ତାଲିକା ଏପଟ ସେପଟ ହେବାନେଇ କୌଣସି ସୂଚନା ନଥିବା କହିଥିଲେ । ଲୋକଙ୍କ ଠାରୁ ଅଭିଯୋଗ ଫର୍ମ ଗ୍ରହଣ କରିବାପାଇଁ ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଥିଲେ ।

Comments (0)
Add Comment