ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘୋଷଣା କରିଛନ୍ତି ।ଖବର ଅନୁଯାୟୀ, ରବିବାର ଦିନ ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣି ଛାତ୍ର ଭାସିଯାଇଥିଲେ । ରବିବାର ଦିନ ଅପରାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ସୋମବାର ଦିନ ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ନାଳରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ କରାଯାଇଥିଲା । ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ଜ୍ୟୋତିଙ୍କ ମୃତଦେହ ଠାବ କରିଥିଲା ପୋଲିସ । ତେବେ ନିଜ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର । ଠିକ୍‌ ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ।

Comments (0)
Add Comment