ଅନ୍ତର୍ଜାତୀୟ ଫୁଟବଲ ଖେଳାଳିଙ୍କ ହୃଦଘାତରେ ପରଲୋକ, ଫୁଟବଲପ୍ରେମୀଙ୍କ ମହଲରେ ଶୋକର ଛାୟା

ପୁରୁଣାକଟକ : ଓଡିଶା ପୋଲିସ ଫୁଟବଲ ଦଳର ପ୍ରାକ୍ତନ ଫୁଟବଲ ଖେଳାଳି ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ବିଶେଶ୍ୱର ଭୋକ୍ତା (ନକୁଳା ବାବୁ )ଙ୍କ ଗତକାଲି ରାତିରେ ୭୨ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ଏହି ଘଟଣା ଜଣାପଡିବା ପରେ ଆଜି ସକାଳୁ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଫୁଟବଲପ୍ରେମୀ, ପୋଲିସ ବାହିନୀ ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ପୁରୁଣାକଟକ ବାସଭବନରେ ପହଁଚି ଶ୍ରାଦ୍ଧଞ୍ଜଳି ଜ୍ଞାପନ ସହ ଶେଷ ଦର୍ଶନ କରିଥିଲେ । ଗତକାଲି ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଉଥିଲା । ତେବେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀ ଭୋକ୍ତା ଓଡିଶା ପୋଲିସ ଫୁଟବଲ ଦଳରେ ଜଣେ ଆଗ ଧାଡ଼ିର ଖେଳାଳି ଥିଲୋ ସେ ୮୦ ଦଶକରେ ନେପାଳ,ଶ୍ରୀଲଙ୍କା ଆଦି ଦେଶକୁ ଦଳ ପକ୍ଷରୁ ଖେଳି ବିଜୟୀ କରାଇଥିବା ସହ ଦେଶର ବିଭିନ୍ନ ରାଜ୍ୟରେ ବହୁ ମ୍ୟାଚ ଖେଳି ଓଡିଶାର ନାଁ ରଖିଥିଲେ । ଅବସର ଗ୍ରହଣ ପରେ ମଧ୍ୟ ଫୁଟବଲ ଖେଳାଳିଙ୍କୁ କୋଚିଂ ଦେବାସହ ଖେଳ ପ୍ରତି ଆଗ୍ରହ ବଢାଇବା ପାଇଁ ଅବିରତ ଚେଷ୍ଟା କରି ଆସୁଥିଲେ । ପୁରୁଣାକଟକ ଫୁଟବଲ ଆସୋସିଏସନର ଉପଦେଷ୍ଟା ଭାବେ ପ୍ରତିବର୍ଷ ଜାତୀୟ ଓ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟର ଆୟୋଜନ କରିଆସୁଥିଲେ । ତାଙ୍କର ବିୟୋଗରେ ଏହି ଅଞ୍ଚଳର ଜଣେ ଫୁଟବଲ କିମ୍ବଦନ୍ତୀ ପୁରୁଷକୁ ହରାଇଲା ବୋଲି ଆସୋସିଏସନର କର୍ମକର୍ତ୍ତା କହିଛନ୍ତି ।

Comments (0)
Add Comment