ରାଜନେତାଙ୍କ ବିରୋଧରେ ମାଳମାଳ ଅଭିଯୋଗ, ତଦନ୍ତ ନିମନ୍ତେ ଦାବି

ଗଞ୍ଜାମ/କୁକୁଡ଼ାଖଣ୍ଡି:ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ଜଣେ ଛତାଦଳିଆ ରାଜନେତା କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ବରପଲ୍ଲୀ ଅଞ୍ଚଳରେ ଏକ ବେଆଇନ ପୋଡାଇଟାଭାଟି ଚଳାଇ ଜିଲ୍ଲା ବାହାରୁ ଏବଂ ଅନ୍ୟରାଜ୍ୟରୁ ଶ୍ରମିକ ଆଣି କମ ମଜୁରୀ ପ୍ରଦାନ କରି ଦିନ ରାତି ଖଟାଉଥିବା ଅଭିଯୋଗ ହେଉଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ବଡ଼ ଦୁର୍ଭାଗ୍ୟର ବିଷୟ ବୋଲି ଅଭିଯୋଗ ହେଉଛି । ଯାହାଫଳରେ ଏହି ଶ୍ରମିକ ପରିବାର ବିଭିନ୍ନ ସମୟରେ ନିର୍ଯାତନାର ଶିକାର ହୋଇ ନୀରବ ରହୁଥିବା ଜଣାଯାଇଛି । ଏହି ନିର୍ବାଚିତ ଲୋକ ପ୍ରତିନିଧି ଜଣକ ନିଜକୁ ବିଜେଡି ନେତା କହୁଥିବା ବେଳେ ବିଜେପି ସହ ହାତ ମିଳାଇ ନିଜେ ଗୋଟିଏ ଗ୍ୟାସ୍‌ ଏଜେନ୍ସି ହାତେଇଥିବା ବେଳେ ଗରିବ ବିପିଏଲ୍‌ ପରିବାର ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସାମିଲ କରାଯାଇ ମାଗଣା ଗ୍ୟାସ ବିତରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । କିନ୍ତୁ ଉକ୍ତ ଗ୍ୟାସ ଏଜେନ୍ସି ସଂସ୍ଥା ବିପିଏଲ ଓ ଗରିବ ପରିବାରଙ୍କ ନାମରେ ହରିଲୁଟ କରି ଚାଲିଥିବା ବେଳେ ଗ୍ୟାସ୍‌ ଓଜନରେ ମଧ୍ୟ ଠକେଇ କରି କଳାବଜାରୀ ଚଳାଇଛି । ଏହି ରାଜନେତା ଜଣକ ରାଜନୈତିକ ଫାଇଦା ଉଠାଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ରାଜସ୍ୱ କର୍ମଚାରୀଙ୍କୁ ହାତେଇ ଖୁଲମଖୁଲା ଭାବେ ସରକାରୀ ଜମିରୁ ମାଟି ଉଠାଇ ମାଲାମାଲ୍‌ ହେଉଥିବା ବେଳେ ଗତ କିଛି ଦିନ ପୂର୍ବେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରାଙ୍କ ହାବୁଡ଼ରେ ପଡିଯିବାରୁ ଦୁଇଲକ୍ଷ ଟଙ୍କାର ଫାଇନ୍‌ ମଧ୍ୟ ଗଣିଥିବା ଜଣାପଡିଛି । ଏହା ବ୍ୟତୀତ ଏହି ରାଜନେତା ଜଣକ ମୁମ୍ବାଇ ସହରରେ ରହି ଏକ ଚିଟଫଣ୍ଡ ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରି ଲୋକଙ୍କୁ ଭୁଆଁ ବୁଲାଇ ସେମାନଙ୍କ ନାମରେ ଫିକ୍ସଡ୍‌ ଡିପୋଜିଟ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗ ପରେ ଅତି ଚତୁରତାର ସହ ରାତାରାତି ମୁମ୍ବାଇ ସହରରୁ ଫେରାର ହୋଇଯାଇଥିବା ଭଳି ଗୁରୁତର ଅଭିଯୋଗ ରହିଛି । ସେହିଭଳି ଏହି ରାଜନେତା ଜଣକ ତାଙ୍କର କାର୍ଯ୍ୟକାଳ ସମୟରେ ଗୁରୁଣ୍ଠି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି କିଛି କାମ ନିଜ ନାମରେ ରଖି ଠିକାଦାର ଭାବେ କାର୍ଯ୍ୟ କରି ହରିଲୁଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।ଏହି ଦୁଇ ମୁଣ୍ଡିଆ ଛତାଦଳିଆ ରାଜନେତା ଜଣକ ଏତେ ଚତୁର ଯେ, ସ୍ଥାନୀୟ ପ୍ରଶାସନ ଡାଳେ ଡାଳେ ଗଲେ ଇଏ କୁଆଡେ ପତ୍ର ପତ୍ରେ ଯାଆନ୍ତି ବୋଲି ସାଧାରଣରେ ବେସ୍‌ ଚର୍ଚ୍ଚା ମଧ୍ୟ ହେଉଛି । ଯାହା ହେଉ ଏହି ଭଳି ଜଣେ ଦୁଇ ମୁଣ୍ଡିଆ ଛତା ଦଳିଆ ନେତାଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ହେବା ନିହାତି ଜରୁରୀ ହୋଇପଡିଥିବା ବେଳେ ଭିଜିଲାନ୍ସ ତଦନ୍ତ ନିମନ୍ତେ ସାଧାରଣରେ ଦାବି ହେଉଛି ।

Comments (0)
Add Comment