ଅଭିଷେକ ଶର୍ମାଙ୍କ ନାମରେ ଯୋଡିହେଲା ଏକାଧିକ ରେକର୍ଡ

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଏବେ ଯୁବ ଓପନର୍ ଅଭିଷେକ ଶର୍ମାଙ୍କ ନାଁ ଚର୍ଚ୍ଚାରେ ରହିଛି। ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଏକ ଐତିହାସିକ ଶତକ ହାସଲ କରି ସେ ରେକର୍ଡର ପାହାଡ଼ ଛିଡ଼ା କରିଛନ୍ତି। ମାତ୍ର ୩୪ ବଲ୍‌ରୁ ୧୦୮ ରନ୍‌ ର ଏହି ବିସ୍ଫୋରକ ଇନିଂସରେ ସେ କେବଳ ଚୌକା ଓ ଛକା ମାଧ୍ୟମରେ ୧୦୨ ରନ୍ ସଂଗ୍ରହ କରିଥିଲେ। ଏଥିସହ ସେ ସଞ୍ଜୁ ସାମସନ୍‌ଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୪୨ ରନ୍‌ର ଭାଗୀଦାରୀ କରିବା ସହ ପାୱାରପ୍ଲେ’ରେ ଦଳ ପାଇଁ ୧୦୦ ରନ୍‌ର ସବୁଠୁ ବଡ଼ ସ୍କୋର୍ ଠିଆ କରିଥିଲେ। ଏହି ଅବସରରେ ସେ ତିନୋଟି ରେକର୍ଡ ଭାଙ୍ଗିଛନ୍ତି ।
ଟି-୨୦ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିବା ମାମଲାରେ ଅଭିଷେକ ଶର୍ମା ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। କୋହଲି ୪୧୩ ଇନିଂସରୁ ୧୦ଟି ଶତକ ହାସଲ କରିଥିବାବେଳେ, ଅଭିଷେକ ମାତ୍ର ୨୦୫ ଇନିଂସରୁ ୧୦ଟି ଶତକ ପୂରା କରି ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲ, ସଞ୍ଜୁ ସାମସନ୍ ଏବଂ ରୋହିତ ଶର୍ମା ୮-୮ଟି ଶତକ ସହ ରହିଛନ୍ତି।
ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ କୌଣସି ଫୁଲ୍ ମେମ୍ବର ଟିମ୍ ବିରୋଧରେ ସବୁଠୁ କମ୍ ବଲ୍‌ରେ ଶତକ ହାସଲ କରିବାର ରେକର୍ଡ ଅଭିଷେକ ନିଜ ନାଁରେ କରିଛନ୍ତି। ସେ ମାତ୍ର ୩୦ଟି ବଲରୁ ନିଜର ଶତକ ଅର୍ଜନ କରିଥିଲେ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଜିମ୍ବାୱେର ସିକନ୍ଦର ରଜା ଅଛନ୍ତି, ଯିଏ ୨୦୨୪ରେ ୩୩ ବଲ୍‌ରୁ ଶତକ କରିଥିଲେ।
କୌଣସି ଟି-୨୦ ଆନ୍ତର୍ଜାତୀୟରେ ୨୦୦ରୁ ଅଧିକ ରନ୍ କରିବା ମାମଲାରେ ଅଭିଷେକ ସଂଯୁକ୍ତ ଭାବେ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ସେ ଏହି ସିରିଜ୍‌ର ୩ଟି ପାଳିରେ ଯଥାକ୍ରମେ ୮୨, ୩୯ ଏବଂ ୧୦୮ ରନ୍ ସହ ମୋଟ ୨୨୯ ରନ୍ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଏବଂ ଇଶାନ କିଶନ ମଧ୍ୟ ୩ ଥର ଏପରି କରିଛନ୍ତି। ତେବେ ଏହି ତାଲିକାରେ ବିରାଟ କୋହଲି ୫ ଥର ଏଭଳି ସଫଳତା ପାଇ ପ୍ରଥମ ସ୍ଥାନରେ ରହିଛନ୍ତି।

Comments (0)
Add Comment