ବୌଦ୍ଧ ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଚତୁର୍ଥ ସନ୍ଧ୍ୟା: ରଙ୍ଗାରଙ୍ଗ ନୃତ୍ୟ ଗୀତ ସାଙ୍ଗକୁ ହକି ଲାଇଭର ମଜା ଉଠାଇଲେ ଦର୍ଶକ

ବୌଦ୍ଧ,୧୫/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ରବିବାର ତୃତୀୟ ସନ୍ଧ୍ୟାରେ ଦେଉଳପଦର (ସୋନପୁର) ମାଟିର ଟେରାକୋଟା ଶିଳ୍ପୀ ବେଦମତି ରଣା, କମିରା (ସୋନପୁର)ର ସମ୍ବଲପୁରୀ ଶାଢ଼ୀ ବୁଣାକାର ଯୋଗେଶ୍ୱର ମେହେର, ବୌଦ୍ଧ (ଗୁଡଭେଲିପଦର ) ତମ୍ବା ନାଗ କାରିଗର ଲିଲି ସାହୁ, ବୁଟୁପାଲିର ସମ୍ବଲପୁରୀ ଶାଢ଼ୀ ବୁଣାକାର ଲିଙ୍ଗରାଜ ମେହେର, ଏ. ଡି. ଟି. ବୌଦ୍ଧ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଅତିଥିମାନେ ମହୋତ୍ସବର ସାଜସଜ୍ଜା, ପ୍ରଶାସନର ସହଯୋଗ ଓ ବିଭିନ୍ନ ଅନୁଷ୍ଠାନର କଳାକାରମାନଙ୍କ କଳାକୁ ପ୍ରଶଂସା କରିଥିଲେ । ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘୋଷକ ଭାବେ ରାଜ୍ୟ ଲୋକ କଳା ସଂସ୍କୃତି ସଙ୍ଘର ଉପ ସଭାପତି ଅବନୀ କୁମାର ମିଶ୍ର ଏବଂ କାର୍ଯ୍ୟକ୍ରମ ପରିଚାଳକ ଭାବେ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅମୀୟ କୁମାର ଧଳ ଯୋଗ ଦେଇଥିଲେ ।

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ପରେ ପ୍ରଣାମ ଅନୁଷ୍ଠାନର ଓଡିଶୀ, ରାୟଗଡା ଗାୟତ୍ରୀ କଳା ଅନୁଷ୍ଠାନର ଢେମସା, ଗିରାସିଙ୍ଗା ୟୁ.ପି ସ୍କୁଲର ନୃତ୍ୟ, ଗେହ୍ଲା ମା କଳାନିକେତନର ମାହାରୀ, ରୁଦ୍ର ଭୈରବୀ ବୌଦ୍ଧର ଆଦିବାସୀ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ମହୋତ୍ସବର ଚତୁର୍ଥଦିନ ସନ୍ଧ୍ୟା ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ଏଲଇଡି ପରଦା ଜରିଆରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପୁରୁଷ ବିଶ୍ୱ କପ୍‌ ହକିକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଲାଇଭ ଦେଖିଥିଲେ । ଶେଷରେ ବିକାଶ ଦାଶ ଓ ତାଙ୍କ ଟିମଙ୍କ ଦ୍ୱାରା ଅର୍କେଷ୍ଟା ପରିବେଷଣ କରାଯାଇଥିଲା । ଏ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକେ ମନଭରି ଉପଭୋଗ କରିଥିଲେ ।

Comments (0)
Add Comment