କଣ୍ଟାମାଳବ୍ଲକର ୪ ଟି ହାଇସ୍କୁଲ ନବୀକରଣ କାର୍ଯ୍ୟର ଭୂମିପୂଜନ

କଣ୍ଟାମାଳ,୩୧/୫- ବୌଦ୍ଧଜିଲ୍ଲା କଣ୍ଟାମାଳ ହାଇସ୍କୁଲର ୫-ଟି ଦ୍ୱାରା ମନୋନୀତ ୪ ଟିି ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଦ୍ୟାଳୟ ପରିସରର ନବୀକରଣ କାର୍ଯ୍ୟ ପାଇଁ ଆଜି ଭୂମିପୂଜନ କାର୍ଯ୍ୟ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ହୋଇଯାଇଛି । ଆଜି ବ୍ଲକର ମନମୁଣ୍ଡା, କଣ୍ଟାମାଳ, ଘଣ୍ଟାପଡା ଓ ଆମ୍ବଗାଁ ହାଇସ୍କୁଲରେ ଏହି ଭୂମିପୂଜନ ହୋଇ ଯାଇଥିବା ବେଳେ ନବୀକରଣ କାର୍ଯ୍ୟ ଆଜିଠାରୁ ଆରମ୍ଭ କରିବାକୁ ସଂପୃକ୍ତ ଠିକାଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜି ପୂର୍ବାହ୍ନରେ କଣ୍ଟାମାଳ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଭୂମିପୂଜନ କାର୍ଯ୍ୟ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ଅଶ୍ୱିନୀ ମେହେର, ବିଡିଓ ବନ୍ଦନା ଖଟୁଆ, ସହକାରୀ ଯନ୍ତ୍ରୀ ସୋମନାଥ ଭୂୟାଁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ଖଟୁଆ, ବିଦ୍ୟାଳୟ ପୁରାତନ ଛାତ୍ର ଦୁତିଆଚରଣ ସାହୁ, ମୋସ୍କୁଲର କୋଷାଧ୍ୟକ୍ଷ କେଦାରନାଥ ସାହୁ, ଦିବ୍ୟଶଙ୍କର ରାଉତ, ଦେବୀ ପ୍ରସାଦ ନାଏକ, ଧୀରେନ୍ଦ୍ରନାଥ ସାହୁ, ତାପସ ଖଟୁଆ, କାର୍ଯ୍ୟର ଠିକାଦାର ଶମ୍ଭୁପ୍ରସାଦ ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମିଶ୍ର ବିଦ୍ୟାଳୟ ପରିସର ବୁଲିଦେଖିବା ସହ ୬୦ ବର୍ଷର ସେହି ବିପଦ ଶଙ୍କୁଳ ପୁରୁଣା କୋଠାକୁ ଭାଙ୍ଗିବା ସହ ଆବଶ୍ୟକ ସ୍ଥଳେ ଆଜବେଷ୍ଟସକୁ ବଦଳାଇ ଛାତକରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପୁରୁଣା କୋଠାରେ ରହିଥିବା ମୂଲ୍ୟବାନ କାଠ, ଇଟା, ପଥର, ଆଜବେଷ୍ଟସକୁ ମୋ ସ୍କୁଲ କମିଟି ମାଧ୍ୟମରେ ନିଲାମ କରି ଆଦାୟ ଅର୍ଥକୁ ମୋ ସ୍କୁଲରେ ଜମା କରିବାକୁ କହିଥିଲେ । ସେହିପରି ବିଦ୍ୟାଳୟ ପରିସରରେ ସ୍ଥାନୀୟ ପଞ୍ଚାୟତ ସମିତି ପକ୍ଷରୁ ନିର୍ମାଣ ହେଉଥିବା ଆଜବେଷ୍ଟସ ସାଇକେଲ ଷ୍ଟାଣ୍ଡଟି ପିଲର ଷ୍ଟକଚର ଅନୁଯାୟୀ ହୋଇଥିବାରୁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ବିରକ୍ତ ପ୍ରକାଶ କରିବା ସହ ଅନାବଶ୍ୟକ ଖର୍ଚ୍ଚ ନକରିବାକୁ ତାଗିଦ କରିଥିଲେ ।

Comments (0)
Add Comment