୨୦ତମ ତିଲେଶ୍ୱର କପ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଅନୁଗୁଳ

ହରଭଙ୍ଗା,୩୦/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଲାଲ ବାହାଦୂର ସରକାରୀ ହାଇସ୍କୁଲ ଖେଳ ପଡିଆରେ ୨୦ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଁଚିଛି । ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଅନୁଗୁଳ ଏ କେ କ୍ଲବ ଓ ବଜରଙ୍ଗୀ କ୍ଲବ ଭୁବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ସେମି ଫାଇନାଲ୍‌ ମ୍ୟାଚରେ ଅନୁଗୁଳ ଦଳ ଖେଳର ପ୍ରଥମାର୍ଦ୍ଧରେ ୨ ଟି ଗୋଲ ଦେଇଥିବା ବେଳେ ଖେଳର ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ ହୋଇଥିଲେ ବି ଭୁବନେଶ୍ୱର ଦଳ ପକ୍ଷରୁ ଗୋଲ କରିପାରିନଥିଲା । ଫଳରେ ଅନୁଗୁଳ ୨-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା କାଲି ଅନୁଗୁଳ ଦଳ ସୋନପୁର ଦଳକୁ ଫାଇନାଲ୍‌ ମ୍ୟାଚରେ ଭେଟିବ । ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଫୁଟବଲ ଆସୋସିଏସନର ସମ୍ପାଦକ ଯୁଗଳ କିଶୋର ସାମଲ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ତରାମଣି ପ୍ରଧାନ, ଯୁବ ଶିଳ୍ପପତି ପ୍ରଶାନ୍ତ କୁମାର ମହାକୁଡ଼, ବଜାର ଆସୋସିଏସସନର ସଭାପତି ଅର୍ଜୁନ ପ୍ରଧାନ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା ଖେଳ ପରିଚାଳନା କରିଥିବାବେଳେ ଲାଇନ୍ସମେନ ଭାବେ ସଲିଲ ବେହେରା, ପ୍ରତାପ ପ୍ରଧାନ ଏବଂ ଚତୁର୍ଥର୍ ରେଫରୀ ଭାବେ ବଳରାମ ବେହେରା ଦାୟିତ୍ୱ ତୁଲାଇଥିଲେ । ଆୟୋଜକ କମିଟିର ସଭାପତିଙ୍କ ସମେତ ବିଜ୍ଞାନ କର୍ଣ୍ଣ, ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ବିକ୍ରମ ପ୍ରଧାନ, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, ମହେଶ୍ୱର ମହାନ୍ତି ଓ ଅନ୍ୟ ସମସ୍ତ ସଦସ୍ୟ ଆଜିର ଖେଳରେ ସହଯୋଗ କରିଥିଲେ ।

Comments (0)
Add Comment