ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ

ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହିକ୍ରମରେ, ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ ଟିକା ଦିଆଯିବ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ( ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ଅନୁମତି ଦେଇଛନ୍ତି । ପୂର୍ବରୁ ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କର୍ବଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି)କୁ ସୁପାରିଶ କରିଥିଲା । ସେହିପରି ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବାକୁ ବିଶେଷଜ୍ଞ କମିଟି ଅନୁଧ୍ୟାନ କରିଥିଲା । ଏବେ ଡିସିଜିଆଇ ଏହି ଟିକାର ବ୍ୟବହାରକୁ ଅନୁମତି ଦେଇଛି । ତେବେ ଏହି ଟିକା ବର୍ତ୍ତମାନ କେବଳ ୬ରୁ ୧୨ ବର୍ଷର ପିଲାଙ୍କୁ ହିଁ ଦିଆଯିବ ବୋଲି କୁହାଯାଇଛି । ଗତ ବର୍ଷ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ କମିଟି ନିକଟରେ ରଖିଥିଲା । ଗତ ବର୍ଷ ଅକ୍ଟୋବର ମାସରେ ଏସଇସି ୨ରୁ ୧୮ ବର୍ଷ ବୟସର ପିଲାଙ୍କ ନିମନ୍ତେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି କେତେକ ସର୍ତ୍ତ ସହ ଦିଆଯାଇଥିଲା । ପରେ ଡିସେମ୍ବର ୨୦୨୧ରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା । କରୋନାରେ ଛୋଟ ପିଲା ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କର ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।

Comments (0)
Add Comment