ଜାଣନ୍ତୁ,ଚିନ୍ତନ ଶିବିରରେ କ’ଣସବୁ ନିଷ୍ପତ୍ତି ନିଆଗଲା

ନୂଆଦିଲ୍ଲୀ,୧୫/୫ : ବାରମ୍ବାର ନିର୍ବାଚନୀ ଝଟକା,ଗୋଟିଏ ପରେ ଗୋଟିଏ ରାଜ୍ୟ ହାତରୁ ଖସିବା ଏବଂ କୌଣସି କାରଣରୁ ଦଳରୁ ବରିଷ୍ଠ ନେତାଙ୍କ ପ୍ରସ୍ଥାନ ଯୋଗୁ ଦଳର ଯେଉଁ କ୍ଷତି ଘଟିଛି,ତାହାର ଭରଣା ପାଇଁ ଦଳରେ ବ୍ୟାପକ ସଂସ୍କାର ତଥା ଆମୂଳଚୁଳ ପରିବର୍ତ୍ତନ ଦିଗରେ ପ୍ରୟାସ ସ୍ୱରୂପ କଂଗ୍ରେସର ଚିନ୍ତନ ଶିବିରରେ କେତେକ ଉଲ୍ଲେଖନୀୟ ପ୍ରସ୍ତାବ ଗୃହୀତ ହୋଇଛି । ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ଏହି ଶିବିର ଆଜି ଉଦଯାପିତ ହୋଇଛି ଏବଂ ଆଜି ଶେଷ ଦିନଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା । ଦଳର ନିଷ୍ପତ୍ତି ଅନୁଯାୟୀ, ଏଣିକି ଜଣେ ବ୍ୟକ୍ତିଙ୍କୁ ଆଉ ମିଳିବନି ଏକାଧିକ ପଦବୀ । ଲାଗୁ ହେବ ‘ୱାନ୍‌ ମ୍ୟାନ୍‌, ୱାନ ପୋଷ୍ଟ’ନୀତି । ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ ଉପରେ ମଧ୍ୟ ମୋହର ଲାଗିଛି । ଖାଲି ସେତିକି ନୁହେଁ, ନେତାଙ୍କ ପାଇଁ ଟ୍ରେନିଂଠୁ ଆରମ୍ଭ କରି ଯୁବବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କଥାକୁ ମଧ୍ୟ ଏଥର ଚିନ୍ତନ ଶିବିରରେ ପ୍ରାଧାନ୍ୟ ଦିଆଯାଇଛି । ଗୋଟିଏ ପରିବାର ଓ ଗୋଟିଏ ଟିକେଟ୍‌ ନିୟମ ମଧ୍ୟ ଲାଗୁ କରିଛି । ତେବେ ଯେଉଁ ପରିବାର ଦଳ ପାଇଁ ୫ରୁ ଅଧିକ ବର୍ଷ ସକ୍ରିୟ ଭାବେ କାମ କରିଥିବ, ତାଙ୍କ ପାଇଁ ଗୋଟିଏ ପରିବାର, ଗୋଟିଏ ଟିକେଟ୍‌ ନିୟମ ଲାଗୁ ହେବ ନାହିଁ ବୋଲି କୁହାଯାଇଛି । ଗୋଟିଏ ପରିବାର, ଗୋଟିଏ ଟିକେଟ୍‌ ନିୟମ ଲାଗୁ ହୋଇଥିଲେ ଗାନ୍ଧୀ ପରିବାର ମଧ୍ୟ ଏହି ନିୟମ ଭିତରେ ଆସିଥାନ୍ତା । ଯାହା ଫଳରେ ରାହୁଲ ଗାନ୍ଧୀ,ସୋନିଆ ଗାନ୍ଧୀଙ୍କୁ ଏକାଠି ଟିକେଟ୍‌ ମିଳି ପାରିନଥାନ୍ତା । ତେଣୁ ଏହି ସମସ୍ୟାକୁ ଦୂରେଇବାକୁ ଯାଇ, ଏଥିରେ ଏହି ସର୍ତ୍ତ ରଖାଯାଇଛି । ଅନ୍ୟପଟେ କଂଗ୍ରେସ ପ୍ରତି ଯୁବକଙ୍କୁ ଆକୃଷ୍ଟ କରିବାକୁ ଦଳ ଏକ ବଡ ନିଷ୍ପତ୍ତି ନେଇଛି । ପାର୍ଟିରେ ୫୦ ପ୍ରତିଶତ ସ୍ଥାନ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ । ତେବେ ଅଧିକ ବୟସର ଲୋକଙ୍କୁ କଂଗ୍ରେସରୁ ବାଦ୍‌ ଦେବା ନିଷ୍ପତ୍ତିକୁ ଦଳ ଗ୍ରହଣ କରିନି । ସେପଟେ ଦଳର ସଙ୍ଗଠନକୁ ଅଧିକ ମଝବୁତ୍‌ କରିବାକୁ ପ୍ରତି ଜିଲ୍ଲାରେ ୭୫ କିଲୋମିଟର ବ୍ୟାପି ପଦଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ପୂର୍ବରୁ ନିର୍ବାଚନୀ ପ୍ରାର୍ଥୀ ସମ୍ପର୍କରେ ନିର୍ବାଚନୀ କମିଟି ପକ୍ଷରୁ ନିର୍ଣ୍ଣୟ ନିଆ ଯାଉଥିଲା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପିଭି ନରସିଂହ ରାଓଙ୍କ ମୃତ୍ୟୁ ପରେ ଏହି ନିବାଚନୀ କମିଟି ନିସ୍କ୍ରିୟ ହୋଇପଡିଛି । ସେବେଠାରୁ ଏହାର ପୁନରୁତ୍ଥାନ ହୋଇ ନାହିଁ । ତେଣୁ କଂଗ୍ରେସ କାର୍ଯ୍ୟକାରୀ କମିଟି ପକ୍ଷରୁ ସଂସଦୀୟ ବୋର୍ଡ ଗଠନ ହେବ । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ସହ ୯ ଜଣ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରୁ ଜଣେ ଏହି ସଂସଦୀୟ କମିଟିର ମୁଖ୍ୟ ରହିବେ । କଂଗ୍ରେସର ଅଧ୍ୟକ୍ଷ ଏବଂ କମିଟି ଅଧ୍ୟକ୍ଷଙ୍କ ପରାମର୍ଶରେ ସଂସଦୀୟ କାର୍ଯ୍ୟକଳାପ ହାତକୁ ନିଆଯିବ ।

Comments (0)
Add Comment