ନୂଆଦିଲ୍ଲୀ- ରାଜ୍ୟସଭାରେ ଆମ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ଆପରୁ ୩ଜଣ ସାଂସଦ ଇସ୍ତଫା ଦେଇଥିବା ବେଳେ ଆଗକୁ ଆଉ ୪ଜଣ ଇସ୍ତଫା ଦେବେ ସୂଚନା। ସାଂସଦ ରାଘବ ଚଢ଼ାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ନେଇ ସୂଚନା ଦେଇଛନ୍ତି ରାଘବ ଚଢ଼ା।
ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଘବ ଚଢ଼ା ନିଜର ଇସ୍ତଫା ଘୋଷଣା କରିଛନ୍ତି। ଶ୍ରୀ ଚଢା କହିଛନ୍ତି ଯେଉଁ ଆପ ଦଳ ପାଇଁ ରକ୍ତ ଓ ଝାଳ ବୁହାଇ ଯୌବନର ୧୫ବର୍ଷ ତ୍ୟାଗ କରିଛି ସେହି ଦଳ ତାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୈତିକତାରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନ ଏହି ଦଳ ରାଷ୍ଟ୍ର ସ୍ୱାର୍ଥରେ କାମ ନକରି ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ ଆଜି ଆମେ ଦଳ ଛାଡୁଥିବା ନେଇ ଘୋଷଣା କରୁଛୁ। ଏହାସହ ରାଜ୍ୟସଭାରେ ଆପର ଦୁଇ ତୃତୀୟାଂଶ ସଦସ୍ୟ ଭାରତର ସମ୍ବିଧାନ ନିୟମ ଅନୁଯାୟୀ ଦଳ ଛାଡ଼ି ବିଜେପି ମିଶିବେ ବୋଲି କହିଛନ୍ତି।
ରାଜ୍ୟସଭାରେ ଆପ ଦଳରୁ ଏବେ ୧୦ ଜଣ ସାଂସଦ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶରୁ ଅଧିକ ଆଜି ସକାଳେ ଆପ ଛାଡ଼ିବା ନେଇ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଦସ୍ତଖତ ପତ୍ର ଏବଂ ଦସ୍ତାବିଜ ଦାଖଲ କରିଥିବା ସେ କହିଛନ୍ତି। ଅନ୍ୟ ୪ଜଣ ସାଂସଦ ହେଲେ ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହାନି ଏବଂ ସ୍ୱାତୀ ମାଲିୱାଲ ଅଛନ୍ତି।