ଜନତାଙ୍କୁ ପିଏମ ମୋଦିଙ୍କ ନିବେଦନ : ଅପ୍ରେଲ ୫ ରାତି ୯ଟାରୁ ୯ ମିନିଟ ଯାଏଁ ଲାଇଟ୍ ବନ୍ଦ ରଖନ୍ତୁ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ କଡ଼ା ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ପୂର୍ବାହ୍ନ ୯ଟାରେ କରୋନା ସହ ଲଢୁଥିବା ଦେଶର ଲୋକଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତାରେ ଏପ୍ରିଲ ୫ ରବିବାର ରାତି ୯ଟାରେ ଘରର ସମସ୍ତ ଲାଇଟ୍‌ ବନ୍ଦ କରି ୯ ମିନିଟ୍‌ ପାଇଁ ମହମବତୀ, ଦୀପ, ଟର୍ଚ୍ଚ, ମୋବାଇଲ ଫ୍ଲାସ୍‌ ଲାଇଟ୍‌ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।


ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମ ସମସ୍ତଙ୍କୁ କରୋନା ସଙ୍କଟର ଅନ୍ଧକାରକୁ ଚ୍ୟାଲେଞ୍ଜ କରିବାକୁ ପଡ଼ିବ। ଏହାକୁ ଆଲୋକର ଶକ୍ତି ଦେଖାଇବାକୁ ପଡ଼ିବ। ତେଣୁ ଏହି ଏପ୍ରିଲ୍‌ ୫ରେ ଆମକୁ ୧୩୦ କୋଟି ଦେଶବାସୀଙ୍କ ସୁପର ପାୱାର୍‌ ଜାଗ୍ରତ କରିବାକୁ ପଡ଼ିବ। ଜନତା ଜନାର୍ଦ୍ଦନଙ୍କୁ ଭଗବାନଙ୍କର ରୂପ ବୋଲି ବିଶ୍ୱାସ କରାଯାଏ। ତେଣୁ ଯେତେବେଳେ ଦେଶ ଏତେ ବଡ଼ ଯୁଦ୍ଧ କରୁଛି, ସେତେବେଳେ ଏଭଳି ଲାଇଟ୍‌ରେ ଲୋକମାନେ କ୍ରମାଗତ ଭାବରେ ସୁପରପାୱାର ବା ମହାଶକ୍ତି ଜାଗ୍ରତ କରାଇବା ଜରୁରୀ।  ଆମକୁ ଏହି ସଂକଳ୍ପ କରିବାକୁ ପଡ଼ିବ ଯେ, ଆମେ ଏକାକୀ ନୁହଁ, କେହି ବି ଏକାକୀ ନୁହଁ। ସେହିପରି ଲକ୍‌ଡାଉନ୍‌କୁ ସମଗ୍ର ଦେଶବାସୀ ସମ୍ମାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Comments (0)
Add Comment