ଯୁଦ୍ଧରେ ୪୩୦୦ ସେବା କର୍ମଚାରୀଙ୍କୁ ହରାଇଲାଣି ଋଷ୍‌

ନୂଆଦିଲ୍ଲୀ: ରାତି ପାହିଲେ ଋଷ୍‌-ୟୁକ୍ରେନ ଯୁଦ୍ଧ ପଞ୍ଚମ ଦିନରେ ପଦାର୍ପଣ କରିବ । ଆଜି ଚତୁର୍ଥ ଦିନରେ ମଧ୍ୟ ଋଷ୍‌ ପ୍ରଚଣ୍ଡ ଆକ୍ରମଣ କରିଛି । ଉଭୟ ପକ୍ଷର ବହୁ ସେନା ଓ କର୍ମଚାରୀ ମୃତାହତ ହୋଇଛନ୍ତି । ଏହି ଯୁଦ୍ଧରେ ଋଷ୍‌ ସେନାଙ୍କୁ ତ ହରାଉଛି,ତା ସାଙ୍ଗକୁ ଅଣ-ସୈନିକଙ୍କୁ ମଧ୍ୟ ବହୁ ସଂଖ୍ୟାରେ ହରାଉଛି । ଯୁଦ୍ଧରେ ସେନାକୁ ସେବା ଯୋଗାଇଦେବା ଲାଗି ଋଷ୍‌ ହଜାର ହଜାର କର୍ମଚାରୀଙ୍କୁ ପଠାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୪୩୦୦ ସେବା କର୍ମଚାରୀ ପ୍ରାଣ ହରାଇ ସାରିଲେଣି । ୟୁକ୍ରେନ୍‌ର ଉପପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲୟର୍‌ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଲଢେଇ ପାଇଁ ଆସିଥିବା ରୁଷର ୧୪୬ଟି ଯୁଦ୍ଧ ଟ୍ୟାଙ୍କ ନଷ୍ଟ ହୋଇଥିବା ବେଳେ ୨୭ଟି ଏୟାରକ୍ରାଫ୍ଟ ଏବଂ ୨୬ଟି ହେଲିକପ୍ଟର ନଷ୍ଟ ହୋଇଛି । ଅନ୍ୟପଟେ ଆମେରିକାର ରିଫ୍ୟୁଜୀ ଏଜେନ୍ସି କହିଛି ଯେ, ପାଖାପାଖି ୨ ଲକ୍ଷ ୟୁକ୍ରେନୀୟ ଆଶ୍ରୟ ପାଇଁ ପଡୋଶୀ ଦେଶରେ ପହଞ୍ଚିଛନ୍ତି । ଜୀବନ ବଞ୍ଚାଇବା ପାଇଁ ୟୁକ୍ରେନ୍‌ ଲୋକ ଦେଶ ଛାଡୁଛନ୍ତି । ରିଫ୍ୟୁଜୀଙ୍କ ପାଇଁ ଉଦ୍ଦିଷ୍ଟ ୟୁଏନ ହାଇକମିଶନର କହିଛନ୍ତି ଯେ, ରୁଷ ସୈନ୍ୟମାନେ ବାରମ୍ବାର ଗତି ପରିବର୍ତ୍ତନ କରୁଛନ୍ତି । ଫଳରେ ୟୁକ୍ରେନୀୟ ନାଗରିକମାନେ ଭୟଭୀତ ହୋଇ ଦେଶ ଛାଡି ପଳାୟନ କରୁଛନ୍ତି । ଏଜେନ୍ସି କହିଛି ଯେ, ଶନିବାର ୟୁକ୍ରେନର ୨ ଲକ୍ଷ ନାଗରିକର ନିଜ ଦେଶ ଛାଡି ପଡୋଶୀ ପୋଲାଣ୍ଡ, ରୋମାନିଆ ଏବଂ ପୋଲାଣ୍ଡ ସରକାରଙ୍କ ନିକଟରେ ଆଶ୍ରୟ ନେଇଛନ୍ତି । ଗତ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ଳକ୍ଷେ ୟୁକ୍ରେନୀୟ ନାଗରିକ ପୁଲିସ-ୟୁକ୍ରେନୀୟ ସୀମା ଅତିକ୍ରମ କରି ଥିବା ପୋଲାଣ୍ଡ ସରକାର କହିଛନ୍ତି । ତେବେ ଏହି ଯୁଦ୍ଧ ଘନଘଟା ମଧ୍ୟରେ ଆଉ କିଛି ଦେଶ ରୁଷ ଉପରେ କଟକଣା ଜାରି କରିଛନ୍ତି ।

Comments (0)
Add Comment