ଘୁ. ଉଦୟଗିରିରେ ସିନିଅର ସିଭିଲ ଜଜ କୋର୍ଟ ପ୍ରତିଷ୍ଠା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ବାର ଆସୋସିଏସନ ପକ୍ଷରୁ ଦାବିପତ୍ର

ଘୁ.ଉଦୟଗିରି, ୦୯/୧୨ (ହୀ.ପ୍ର): ଘୁ. ଉଦୟଗିରିରେ ସିନିଅର ସିଭିଲ ଜଜ କୋର୍ଟ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ କୋର୍ଟ ଖୋଲିବା ନିମନ୍ତେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେବା ସହ ୨୦୦୯ ମସିହାରୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଥିବା ସତ୍ତେ୍ୱ ରାଜ୍ୟ ସରକାରଙ୍କ ଆଇନ ବିଭାଗର ନିଦ ଭାଙ୍ଗୁନି । ଘୁ.ଉଦୟଗିରି ପୁରୁଣା ତାଲୁକା ଅଧୀନରେ ଚକାପାଦ, ଟିକାବାଲି, ଘୁ.ଉଦୟଗିରି, ଏବଂ ରାଇକିଆର ଦୁର୍ଗମ ଅଂଚଳର ଆର୍ଥିକ ଅନଗ୍ରସର ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ସୁବିଧା ପାଇଁ ବହୁ ବର୍ଷ ହେଲା ସିନିୟର ସିଭିଲ ଜଜ୍‌ କୋଟ ତଥା ଆସିଷ୍ଟାଣ୍ଟ୍‌ ସେସନ୍ସ ଜଜ୍‌ କୋର୍ଟ ଖୋଲିବା ପାଇଁ ଦାବୀ ହୋଇଆସୁଛି । କାରଣ ଏହି କୋର୍ଟ କ୍ଷମତା ପରିସରରେ ଥିବା କେସ୍‌ ଗୁଡିକର ବିଚାର ପାଇଁ ଆର୍ଥିକ ଅନଗ୍ରସର ଲୋକମାନେ ଦୁର୍ଗମ ଅଂଚଳରୁ ଶହ ଶହ କିମି ଦୂରରୁ ବାଲିଗୁଡା ଯିବାକୁ ପଡିଥାଏ । ଯାହା ଅଧିକ ବ୍ୟୟ ବହୁଳ, ସମୟ ସାପେକ୍ଷ ସହିତ କଷ୍ଟଦାୟକ ହୋଇଥାଏ ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଘୁ.ଉଦୟଗିରିରେ ସିନିୟର ସିଭିଲ ଜଜ୍‌ କୋର୍ଟ ତଥା ଆସିଷ୍ଟାଣ୍ଟ୍‌ ସେସନ୍ସ କୋର୍ଟ ଖୋଲିବା ପାଇଁ ଘୁ.ଉଦୟଗିରି ବାର ଆସୋସିଏସନ ତରଫରୁ ସଭାପତି ଦୀପକ ଭରଦ୍ୱାଜଙ୍କ ତତ୍ତ୍ୱାବଧାନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆବଶ୍ୟକତା କେତେ ଜରୁରୀ ତାହା ଜାଣିବା ପାଇଁ ମାନ୍ୟବର ହାଇକୋର୍ଟ ଜିଲ୍ଲା କୋର୍ଟକୁ ରିପୋର୍ଟ ମାଗି ଥିବା ବେଳେ, ଜିଲ୍ଲା କୋର୍ଟ ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରିରେ ଏହି କୋର୍ଟ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ।

ଏହା ସହିତ ମାନ୍ୟବର ହାଇକୋର୍ଟ ଆଇନ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କୁ ଆବଶ୍ୟକ ଭିତିଭୂମି ସହିତ ଷ୍ଟାଫ ଦେବା ପାଇଁ ୨୦୧୯ ରୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।ସମସ୍ତ ଭିତ୍ତିଭୂମି ଯେମିତିକି ନୂତନ ନିର୍ମିତ କୋଠାରେ ଏକା ସମୟରେ ତିନୋଟି କୋର୍ଟ ଚାଲିଲା ଭଳି ବ୍ୟବସ୍ଥା ଥିଲେ ମଧ୍ୟ ଏହି କୋର୍ଟ ଖୋଲିବାରେ ଏତେ ବିଳମ୍ବ କାହିଁକି ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ଓକିଲ ସଂଘ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ଉପସଭାପତି ସୁଶାନ୍ତକୁମାର ଜେନା,ସହ ସମ୍ପାଦକ ବୁଲୁ ସାହେବ ସେଠି, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ସମସ୍ତ ଓକିଲ ଏହି ଦାବି ଉପସ୍ଥାପନ କରିବା ସହ ଅତିଶୀଘ୍ର କୋର୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ଘୁ. ଉଦୟଗିରିରେ ସିନିଅର ସିଭିଲ ଜଜ
Comments (0)
Add Comment