କଟକ: କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ (ଆସଫିକ୍ସିଆ) ବୋଲି ସ୍ପଷ୍ଟ ହୋଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଘଟଣାଟି ଆତ୍ମହତ୍ୟା ନା ହତ୍ୟା, ସେନେଇ ସନ୍ଦେହ ଆହୁରି ବଢ଼ିଛି।
ବ୍ୟୁଟି ମହାନ୍ତିଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ତାଙ୍କର ଶ୍ୱାସରୁଦ୍ଧ ହେଲା, ସେନେଇ ଏବେ ବି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ତଦନ୍ତକାରୀ ଅଧିକାରୀମାନେ ସେ ଗଳା ଚିପି ହତ୍ୟାର ଶିକାର ହୋଇଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଶ୍ୱାସରୁଦ୍ଧ ହୋଇଛନ୍ତି କି, ସେସବୁ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଛନ୍ତି।
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି। ବ୍ୟୁଟି ମହାନ୍ତିଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉଛି। ଏହି ଘଟଣାରେ ପାହାଳ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ତାଙ୍କ ମୋବାଇଲ୍ ଫୋନ୍କୁ ମଧ୍ୟ ଜବତ କରି ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି।
କେବଳ ଏତିକି ନୁହେଁ, ଘଟଣା ପଛରେ କୌଣସି ଆର୍ଥିକ କାରବାର କିମ୍ବା ଟଙ୍କା ନେଣଦେଣକୁ ନେଇ ବିବାଦ ଥିଲା କି ନାହିଁ, ସେ ଦିଗରେ ମଧ୍ୟ ପୋଲିସ ଖୋଳତାଡ଼ କରୁଛି। ତଦନ୍ତରୁ ଜଣାପଡ଼ିଛି, ମୃତ୍ୟୁ ପୂର୍ବରୁ ବ୍ୟୁଟି ମହାନ୍ତି ତାଙ୍କ ସ୍ୱାମୀ ସମୀରଙ୍କ ସହ ଶେଷ ଥର କଥା ହୋଇଥିଲେ।
ବ୍ୟୁଟି ମହାନ୍ତି ବ୍ୟବହାର କରୁଥିବା ଦୁଇଟି ମୋବାଇଲ୍, ସେଥିରେ ଥିବା ଏକ ଆଇଫୋନ୍କୁ ରାଜ୍ୟ ଫରେନସିକ୍ ବିଜ୍ଞାନ ପରୀକ୍ଷାଗାରକୁ ପଠାଯାଇଛି। ଗୋଟିଏ ଫୋନ୍ର ତଥ୍ୟ ବାହାର କରିବାରେ କିଛି ବୈଷୟିକ ସମସ୍ୟା ଦେଖାଦେଇଥିବାରୁ ତଦନ୍ତ ପାଇଁ ସମୟ ଲାଗୁଛି।
ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଡିସିପି, ଜଣେ ଏସିପି ଏବଂ ଦୁଇଜଣ ବରିଷ୍ଠ ଇନ୍ସପେକ୍ଟରଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। କଲ୍ ରେକର୍ଡ, ଆର୍ଥିକ କାରବାର ଏବଂ ଫରେନସିକ୍ ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ପୋଲିସ ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବ। ଏବେ ସମସ୍ତଙ୍କ ନଜର ଏହି ବହୁଚର୍ଚ୍ଚିତ ମାମଲାର ପରବର୍ତ୍ତୀ ତଦନ୍ତ ଉପରେ ରହିଛି।