ବୌଦ୍ଧ,୨୭/୬:ବୌଦ୍ଧ ଜିଲ୍ଲାସ୍ତରୀୟ “ବିକାଶର ଧାରା ଓଡ଼ିଶା ସାରା–୨୦୨୬” କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିବସ ଅବସରରେ ସ୍ଥାନୀୟ ଟାଉନ ହଲ୍ଠାରେ ଜିଲ୍ଲାପାଳ ବିଭୁତିି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯିବାପରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମିନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାଶ ଉପସ୍ଥିତ ଥିଲେ । ସ୍ୱାଗତ ଅଭିଭାଷଣରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ “ଅନ୍ନଦାତା ଓଡ଼ିଶା, ସମୃଦ୍ଧ କୃଷକ ଓ ସଶକ୍ତ ଗ୍ରାମୀଣ ଅର୍ଥନୀତି” ବିଷୟ ଉପରେ ଆଲୋକପାତ କରିବା ସହିତ ଜୈବିକ ଓ ପ୍ରାକୃତିକ କୃଷିର ଆବଶ୍ୟକତା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଇଥିଲେ । ସାଂସଦଙ୍କ ପ୍ରତିନିଧି ଶ୍ରୀ ସାମଲ ବିଗତ ଦୁଇବର୍ଷରେ ସରକାରଙ୍କ ଦ୍ୱାରା କୃଷକ ମାନଙ୍କ କଲ୍ୟାଣ ନିମିତ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଡାଙ୍ଗ ନିଜ ଅଭିଭାଷଣରେ କହିଥିଲେ ଯେ, ଭାରତ ବିଶ୍ୱଗୁରୁ ହେବା ଦିଗରେ ଅଗ୍ରସର ହେଉଛି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ବିଶ୍ୱ ଦରବାରରେ ନୂତନ ପରିଚୟ ସୃଷ୍ଟି କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନାର ସୁଫଳ ଉଠାଇବାକୁ ସେ କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ବିଗତ ଦୁଇ ବର୍ଷରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ଏବଂ “ଭିଜନ–୨୦୩୬” ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ରୋଜାଲିନ ସାହୁ, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଅଭିମନ୍ୟୁ ରାଉତ ଏବଂ ଜଳସେଚନ ବିଭାଗ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ ଅଶ୍ୱିନୀ କୁମାର ଶାନ୍ତ ନିଜ ନିଜ ବିଭାଗର ଜନକଲ୍ୟାଣକାରୀ ଯୋଜନା ଏବଂ ସଫଳତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏହି କୃଷି କର୍ମଶାଳାରେ ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାଶ “ଅନ୍ନଦାତା ଓଡ଼ିଶା, ସମୃଦ୍ଧ କୃଷକ ଓ ସଶକ୍ତ ଗ୍ରାମୀଣ ଅର୍ଥନୀତି” ଉପରେ ଏବଂ କୃଷି ବୈଜ୍ଞାନିକ ଶ୍ରୀମତୀ କବିତା ମିଶ୍ର “ପ୍ରଗତିଶୀଳ କୃଷି–ନବସୃଜନ ପ୍ରଯୁକ୍ତି ଓ ସମୃଦ୍ଧି” ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରି କୃଷକମାନଙ୍କୁ ଅବଗତ କରାଇଥିଲେ । ପ୍ରଗତିଶୀଳ ମହିଳା କୃଷକ ଶ୍ରୀମତୀ ସାଧନା ବାରିକ, ହରଭଙ୍ଗା ନିଜର ଜୈବିକ କୃଷି ଅଭିଜ୍ଞତା ଓ ସଫଳତାର କାହାଣୀ କହିଥିଲେ । କାର୍ଯ୍ୟକ୍ରମରେ ୫ ଜଣ ଉଦ୍ୟୋଗୀ କୃଷକଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ “ଗୋ-ଏହେଡ୍” ଆଦେଶ ପ୍ରଦାନ କରାଯାଇଥିବା ବେଳେ ୨୦ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ କଳା ପରିଷଦ ବୌଦ୍ଧ ଏବଂ ଗେହ୍ଲାମା କଳାନିକେତନଙ୍କ ଦ୍ୱାରା ପରିବେଷିତ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲା ।