ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ବଢିବ ମହିଳା ଭୋଟରଙ୍କ ମତଦାନ ହାର

ଦଶପଲ୍ଲା : ମଇ ୨୦ରେ ଦଶପଲ୍ଲାରେ ହେବ ମତଦାନ । ଏଥିପାଇଁ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ପାଇଁ ୨୩୪ ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ କରାଯିବ । ଦଶପଲ୍ଲା ବ୍ଲକରେ ୧୦୦ ମତଦାନ କେନ୍ଦ୍ର ମଧ୍ୟରୁ ୭ଟି ସଖୀ ବୁଥ୍‌, ୩୬ଟି ଇକୋ ଫ୍ରେଣ୍ଡଲି ବୁଥ୍‌, ୨ଟି ସବୁଜ ସୁନ୍ଦର ବୁଥ୍‌ ରହିଛି । ଅନୁରୂପ ଭାବେ ନୂଆଗାଁ ବ୍ଲକରେ ୯୩ଟି ମତଦାନ କେନ୍ଦ୍ର ମଧ୍ୟରୁ ୧୧ଟି ସଖୀ ବୁଥ୍‌, ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ଗୋଟିଏ ବୁଥ୍‌, ୨୭ଟି ଇକୋ ଫ୍ରେଣ୍ଡଲି, ଗୋଟିଏ ସବୁଜ ସୁନ୍ଦର ବୁଥ୍‌ ରହିଛି । ସେହିପରି ଗଣିଆ ବ୍ଲକରେ ୪୧ଟି ମତଦାନ କେନ୍ଦ୍ର ମଧ୍ୟରୁ ୪ଟି ସଖୀ ବୁଥ୍‌, ଦୁଇଟି ଇକୋ ଫ୍ରେଣ୍ଡଲି ବୁଥ୍‌ ଏବଂ ଗୋଟିଏ ଯୁବକଙ୍କ ଦ୍ୱାରା ପରିଚାଳିତ ବୁଥ୍‌ ରହିଛି ବୋଲି ବିଡିଓ ସୂଚନା ଦେଇଛନ୍ତି । ସଖୀ ବୁଥରେ ସ୍ୱତନ୍ତ୍ର ଭାବେ ମହିଳାମାନେ ଭୋଟ ଦେବାର ବ୍ୟବସ୍ଥା ରହିବା ସହିତ ଏହି କେନ୍ଦ୍ର ଗୁଡିକରେ କେବଳ ମହିଳା କର୍ମଚାରୀ ମାନେ ନିୟୋଜିତ ହେବେ । ସଖୀ ବୁଥ କରାଯାଇ ମହିଳାଙ୍କ ମତଦାନ ହାର ବଢ଼ାଇବା ଲକ୍ଷ୍ୟରେ ଏ ବ୍ୟବସ୍ଥା ରଖାଯାଇଛି । ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର, ସୁରକ୍ଷାକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଭାବେ ମହିଳାଙ୍କୁ ହିଁ ନିୟୋଜିତ କରାଯିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ନିୟୋଜିତ ହେବାକୁ ଥିବା ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ରଙ୍ଗର ପୋଷାକ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଅନ୍ୟ ମଡେଲ ବୁଥ୍‌ ଗୁଡ଼ିକରେ ଯେଉଁ ବ୍ୟବସ୍ଥା ରହିବ ତାହା ବି ସଖୀ ବୁଥରେ ମଧ୍ୟ ରହିବ । ଏହି ବୁଥ୍‌ ଯୋଗୁଁ ମହିଳା ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି ।

Comments (0)
Add Comment