କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜ (କଟକ ବନ ବିଭାଗ)ର ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବିରୋଧରେ ଜଣାଶୁଣା ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି (Disproportionate Assets-DA) ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି । ମାନ୍ୟବର ସ୍ୱତନ୍ତ୍ର ବିଚାରପତି,ଭିଜିଲାନ୍ସ, କଟକଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସ୍ପି,୯ ଜଣ ଇନ୍ସପେକ୍ଟର,୫ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ତଲାସି ଚଳାଇଛନ୍ତି । ଏହି ସ୍ଥାନଗୁଡ଼ିକ ହେଲା- (୧)କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡୁଳି ଗୋଡ଼ିସାହିସ୍ଥିତ ତାଙ୍କର ଚାରି ମହଲା ବାସଭବନ, (୨) କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାହାଡ଼ାପଦାସ୍ଥିତ ପୈତୃକ ବାସଭବନ, (୩) କେନ୍ଦ୍ରାପଡ଼ାରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷ ଏବଂ (୪) କେନ୍ଦ୍ରାପଡ଼ାରେ ଥିବା ତାଙ୍କର ଅସ୍ଥାୟୀ ବାସସ୍ଥାନ । ଭିଜିଲାନ୍ସର ପରବର୍ତ୍ତୀ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ତଲାସିରେ ଶ୍ରୀ ନାୟକ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବହୁ ମୂଲ୍ୟବାନ ସମ୍ପତ୍ତି ଠାବ କରାଯାଇଛି । ସେଥିରେ କଟକ ଜିଲ୍ଲାର ବାରଙ୍ଗ ଅନ୍ତର୍ଗତ ମୁଣ୍ଡୁଳିରେ ପ୍ରାୟ ୬,୪୦୦ ବର୍ଗଫୁଟ୍ କ୍ଷେତ୍ରଫଳ ବିଶିଷ୍ଟ ଚାରି ମହଲା ବିଳାସପୂର୍ଣ୍ଣ ବାସଭବନ,ବାଙ୍କୀ ଥାନା ଅନ୍ତର୍ଗତ ସାହାଡ଼ାପଦାରେ ଏକ ବାସଭବନ,ବାରଙ୍ଗ ଅଞ୍ଚଳରେ ୬ଟି ମୂଲ୍ୟବାନ ପ୍ଲଟ୍, ନଗଦ ୨,୧୪,୦୦୦ ଟଙ୍କା, ୪୩ ଲକ୍ଷ ଟଙ୍କାର ଜମାରାଶି,୧ଟି ଚାରିଚକିଆ ଗାଡ଼ି (Grand Vitara) ଏବଂ ୧ଟି ଦୁଇଚକିଆ ଗାଡ଼ି ସାମିଲ ରହିଛି ।ଏହାଛଡ଼ା ସୁନା ଅଳଙ୍କାରର ଓଜନ ଓ ମୂଲ୍ୟାଙ୍କନ କାର୍ଯ୍ୟ ଜାରି ରହିଥିବାବେଳେ,ଅନ୍ୟାନ୍ୟ ଆର୍ଥିକ ନିବେଶର ଯାଞ୍ଚ ମଧ୍ୟ ଚାଲିଛି ।କୋଠା ଓ ପ୍ଲଟ୍ଗୁଡ଼ିକର ମାପଜୋଖ ଏବଂ ମୂଲ୍ୟ ନିର୍ଦ୍ଧାରଣ କାମ ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ ପକ୍ଷରୁ କରାଯାଉଛି । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ,ତଲାସି ଅଭିଯାନ ଏବେ ବି ଜାରି ରହିଥିବା ସୂଚନା ମିଳିଛି ।