ବୁଗୁଡ଼ା କଲୋନୀବାସୀଙ୍କୁ ଆଲୋଚନା ପାଇଁ ଡାକିଲେ ଭୂ-ଅର୍ଜନ ଅଧିକାରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାଯତ ବୁଗୁଡ଼ା କଲୋନୀ ଗ୍ରାମବାସୀ ନ୍ୟାୟ ପାଇଁ ଦୀର୍ଘଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବାବେଳେ ଆଜି ସେମାନଙ୍କୁ ଆଲୋଚନା ପାଇଁ ନୋଟିସ୍‌ ପଠାଇଛନ୍ତି ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ନୟାଗଡ଼ । ଦଶପଲ୍ଲା ତହସିଲ ପକ୍ଷରୁ ଏହି ନୋଟିସ୍‌ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ୬୫ ବର୍ଷ ଧରି ଜମିକୁ ଭୋଗଦଖଲ କରି ଆସୁଥିବା ପ୍ରଜାଙ୍କ ଜମି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ବାବଦ କୌଣସି ସହାୟତା ପ୍ରଦାନ ନେଇ ବ୍ୟବସ୍ଥା ହୋଇ ନ ଥିଲା, ଯାହାକୁ ନେଇ ଗ୍ରାମବାସୀ ଦୀର୍ଘଦିନ ଧରି ଧାରଣା ଦେଇଥିଲେ । ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଜମି ଅଧୀଗ୍ରହଣ ଅଧିକାରୀ ଚିହ୍ନଟ ହୋଇଥବା ଜମିର ମାଲିକ ତଥା ଏଜେଣ୍ଟମାନଙ୍କୁ ଆସନ୍ତା ୨୮ ତାରିଖରେ ନୟାଗଡ଼ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ କ୍ଷତିପୂରଣ ତଥା ଥଇଥାନ ନେଇ କୌଣସି ଅଭିଯୋଗ ଥିଲେ ଆଲୋଚନା କରିବାକୁ ନୋଟିସ୍‌ କରିଥିବା ସୂଚନା ମିଳିଛି । ଯାହାକୁ ନେଇ ବୁଗୁଡ଼ା କଲୋନୀବାସୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଥିବା ଦେଖାଯାଇଛି । ଅନ୍ୟପକ୍ଷେ, ସେମାନେ ଭୋଗଦଖଲ କରୁଥିବା ଏବଂ ଜଙ୍ଗଲ ଜମି ଅଧିକାର ପ୍ରମାଣପତ୍ର ପାଇଥିବାବେଳେ ସେମାନଙ୍କୁ କ୍ଷତିପୂରଣ ନେଇ ବ୍ୟବସ୍ଥା କରା ନ ଗଲେ ଆଗକୁ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

Comments (0)
Add Comment