ନିମଖଣ୍ଡି ଶିବ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କୁକୁଡାଖଣ୍ଡି :ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ମଧ୍ୟରେ ରହିଥିବା ଶିବ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର କରିଛି ନିମଖଣ୍ଡି ଥାନା ପୋଲିସ । ମୃତ ବ୍ୟକ୍ତି ଜଣକ ନିମଖଣ୍ଡି ସାହୁ ସାହିର ସୁରେନ୍ଦ୍ର ରଥ(୪୫)ସେ ଦୈନିକ ଶିବ ମନ୍ଦିର ପାର୍ଶ୍ୱରେ ବସିରହୁଥିବା ବେଳେ ଆଜି ପୋଖରୀରେ ସ୍ନାନ କରି ଗ୍ରାମର ମଧ୍ୟ ଭାଗରେ ଥିବା ଶିବ ମନ୍ଦିର ପାର୍ଶ୍ୱରେ ବସିରହିଥିଲେ ।ହେଲେ ତାଙ୍କ ମା ଆସି ଖାଇବା ପାଇଁ ଡାକିବା ବେଳେ ମନ୍ଦିର ପଛ ପାର୍ଶ୍ୱରେ ପୁଅ ସୁରେନ୍ଦ୍ର ଅଚେତ ଅବସ୍ଥା ଶୋଇରହିଥିବା ଦେଖି ଉଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପୁଅ ଉଠିନଥିଲା ଏବଂ ଶରୀର ଥଣ୍ଡା ହେବା ସହ ପାଟିରେ ପିମ୍ପୁଡି ଧରିଥିବା ଦେଖି ମନ୍ଦିର ବାହାରେ ଚିତ୍କାର କରି ଡାକ ଦେବାରୁ ଗ୍ରାମର କିଛି ଯୁବକ ଏହି ଘଟଣା ଦେଖିବା ପରେ ତାଙ୍କ ବଡ଼ ଭାଇ ରବୀନ୍ଦ୍ରଙ୍କୁ ଖବର ଦେଇଥିଲେ ।ରବୀନ୍ଦ୍ର ଆସି ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ନିମଖଣ୍ଡି ଥାନା ପୋଲିସ ପହଞ୍ଚି ସୁରେନ୍ଦ୍ରଙ୍କ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇବା ସହ ଥାନା କେସ ନଂ ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଏଥି ପୂର୍ବରୁ ସୁରେନ୍ଦ୍ରଙ୍କ କୌଣସି ରୋଗ ବ୍ୟାଧି ନଥିବା ସହ କାହାରି ସାଥିରେ ପୂର୍ବ ଶତ୍ରୁତା ମଧ୍ୟ ନଥିବା ତାଙ୍କ ଭାଇ ରବୀନ୍ଦ୍ର କହିଛନ୍ତି । ହଠାତ୍‌ ମୃତ୍ୟୁକୁ ନେଇ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ସୁରେନ୍ଦ୍ରଙ୍କ ପରିବାର ଲୋକେ । ଏହି ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡୁନଥିବା ବେଳେ ମେଡ଼ିକାଲରୁ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ଘଟଣା ଜଣାପଡିବ ବୋଲି ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

Comments (0)
Add Comment