ନାଗରିକ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆୟୋଜିତ ସମ୍ବଲପୁର ବନ୍ଦ ସଫଳ

ସମ୍ବଲପୁର : ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ, ସମ୍ବିଧାନ ର ଅଷ୍ଟମ ସୂଚୀରେ ସମ୍ବଲପୁରୀ ଭାଷାକୁ ସାମିଲ, ସମ୍ବଲପୁର ରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ସହିତ ସମ୍ବଲପୁରକୁ ଏକ ପ୍ରୟୋଗଶାଳା ରୂପେ ବ୍ୟବହାର ନ କରିବା ଆଦି ବିଭିନ୍ନ ଦାବିକୁ ନେଇ ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସମ୍ବଲପୁର ବନ୍ଦ ସଫଳ ହୋଇଯାଇଛି । ଏହା ପୂର୍ବରୁ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସମ୍ବଲପୁରରେ ସ୍ଥାପନ ଦାବିରେ ଏଠାକାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରତି ବୁଧବାର ଦିନ ସବୁ କୋର୍ଟ କଚେରୀ ବନ୍ଦ ପାଳନ କରାଯାଉଛି, ଏଣୁ ଆଜିର ସମ୍ବଲପୁର ବନ୍ଦ ଏଥି ସହିତ ପାଳନ କରାଯାଇଛି ।

ଆଜି ସମ୍ମେଟିଭ ପରୀକ୍ଷା ଆରମ୍ଭ ହେଉଥିବାରୁ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ବନ୍ଦରୁ ବାଦ ଦିଆଯିବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯାଇଥିଲା । ଆଜିକାର ଏହି ବନ୍ଦରେ ସ୍ଥାନୀୟ ବ୍ୟବସାୟୀମାନେ ସେମାନଙ୍କ ସଂଗଠନ ଜରିଆରେ ସ୍ୱତଃସ୍ପୃତ ଭାବେ ସାମିଲ ହୋଇଛନ୍ତି । ଏ ବିଷୟରେ ପୂର୍ବରୁ ଘୋଷଣା କରାଯାଇଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ କୋର୍ଟ କଚେରୀ, ବ୍ୟାଙ୍କ, ବୀମା କ୍ଷେତ୍ର ଓ ଅନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରଖାଯାଇଥିଲା । ଆଗାମୀ କାଲି ଗୁରୁବାର ଦିନ ମାଣବସା ଲକ୍ଷ୍ମୀପୂଜା ରହିଛି । ଏଣୁ ଆଜିର ବଜାର ଉପରେ ବହୁତ ଲୋକେ ନିର୍ଭର କରିଥାନ୍ତି କିନ୍ତୁ ବନ୍ଦ ପାଳନ ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ ଗତକାଲି ଏସବୁ ଆଗରୁ ବନ୍ଦୋବସ୍ତ କରିନେଇଥିଲେ । ସେପଟେ ସମ୍ବଲପୁର ଘରୋଇ ବସ ମାଲିକ ସଂଘ ପକ୍ଷରୁ ସହଯୋଗ ଦର୍ଶାଇ ଆଜି ବସ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖାଯାଇଥିଲା । ସବୁଆଡୁ ସହଯୋଗ କ୍ରମେ ଆଜିକାର ବନ୍ଦ ଶାନ୍ତିପୂର୍ଣ୍ଣ ରୂପେ ପାଳିତ ହୋଇଯାଇଛି ।

Comments (0)
Add Comment