ଲୁଧିଆନା କାରଖାନାରେ ଗ୍ୟାସ୍‌ ଲିକ୍‌: ୧୧ ମୃତ

ଲୁଧିଆନା: ଆଜି ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସ୍‌ପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍‌ ହେବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରଭାବିତ ଅଞ୍ଚଳକୁ କର୍ଡନ୍‌ କରାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳକୁ ଡାକ୍ତର, ଆମ୍ବୁଲାନ୍ସ୍‌ ଏବଂ ଦମକଳ ମଧ୍ୟ ପଠାଯାଇଛି ବୋଲି ସେମାନେ କହିଛନ୍ତି।

ଗଣମାଧ୍ୟମକୁ ଲୁଧିଆନାର ସବ୍‌ ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌ ସ୍ବାତୀ ତିୱାନା କହିଛନ୍ତି, ନିଶ୍ଚୟ ଏହା ‌ଗୋଟାଏ ଗ୍ୟାସ୍‌ ଲିକ୍‌ ଘଟଣା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ସମ୍ପ୍ରତି ଘଟଣାସ୍ଥଳରେ ପହଞ୍ଚି ଜନସ୍ଥାନାନ୍ତରଣ କରିବା ସହିତ ଉଦ୍ଧାର ଅଭିଯାନ ଚଳାଇଛି। ଏହି ଘଟଣାରେ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। କି ପ୍ରକାରର ଗ୍ୟାସ୍‌ ଓ ତାହା କେଉଁଠୁ ଲିକ୍‌ ହୋଇଛି ସେ କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ତାହା ତଦନ୍ତ କରିବ।

Comments (0)
Add Comment