ପୁରୀରେ ହେବାକୁ ଥିବା ପଦଯାତ୍ରା ସ୍ଥଗିତ

ପୁରୀ : ଶ୍ରୀମନ୍ଦିର ଚାରି ପାଖରେ ଏଏସ୍‌ଆଇ ଓ ଏନ୍‌ଏମ୍‌ଏର ବିନା ଅନୁମତି ଚାଲିଥିବା ଖନନ ଓ ସ୍ଥାୟୀ ନିର୍ମାଣ କୁ ବିରୋଧ କରି ଆସନ୍ତାକାଲି ପୁରୀ ରେ ହେବାକୁ ଥିବା ପଦଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରି ପ୍ରଶାସନ ଏହି ପଦଯାତ୍ରା ଉପରେ ରୋକ ଲଗାଇଛି । ତେବେ ଆଇନକୁ ସମ୍ମାନ ଜଣାଇ କଣ ଆଉ ପଦକ୍ଷେପ ନେଇ ହେବ ସେ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସହ ଆଲୋଚନା ପରେ ପଦଯାତ୍ରା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର କର୍ମକର୍ତ୍ତା କହିଛନ୍ତି । ଆଜି ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର କର୍ମକର୍ତ୍ତା ପୁରୀ ଜିଲାପାଳଙ୍କୁ ଭେଟି ପଦଯାତ୍ରା ସମ୍ପର୍କରେ ଅବଗତ କରିବା ସହ କାର୍ଯ୍ୟକ୍ରମ ଆୟୋଜନ ନେଇ ଅନୁମତି ଲୋଡିଥିଲେ । ହେଲେ ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କାରେ ଏହି ପଦଯାତ୍ରା ଉପରେ ରୋକ ଲଗାଇଛି । ଶ୍ରୀମନ୍ଦିର ଚାରି ପାଖରେ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ତଥା ଏନ୍‌ଏମ୍‌ଏ ବିନା ଅନୁମତିରେ ଖନନ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିବାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଛି । ଏହା ଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା ଆଶଙ୍କା କରାଯାଇଛି । ଏହି ବେଆଇନ କାର୍ଯ୍ୟ ବନ୍ଦ ରଖିବା ଦାବିରେ ଆସନ୍ତାକାଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ନେତୃତ୍ୱରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ରହିଥିଲା । ହେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ପଦଯାତ୍ରା ଉପରେ ରୋକ ଲଗାଇଛନ୍ତି ।

Comments (0)
Add Comment