ନବରଙ୍ଗପୁରରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

ନବରଙ୍ଗପୁର : ଭାରତ ସ୍ୱାଧିନତା ସଂଗ୍ରାମ ଇତିହାସରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅଗ୍ରଣୀ ବୀର ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ସହୀଦ ଲକ୍ଷ୍ମଣ ନାୟକ ଅନ୍ୟତମ । ନିଜର ମା ମାଟି, ଦେଶର ସ୍ୱାଧିନତା ପାଇଁ ମହାତ୍ମା ଗାନ୍ଧୀଙ୍କ କର ବା ମାର ଡାକରାରେ ଉଦବୁଦ୍ଧ ହୋଇ ଇଂରେଜ ସରକାର ବିରୁଦ୍ଧରେ ଲଢେଇ କରି ନିଜ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଥିଲେ । ସେହି ମହାପୁରୁଷ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀଙ୍କ ୧୨୩ ତମ ଜନ୍ମତିଥି ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସହୀଦ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠରେ ଅନୁଷ୍ଟିତ ସମାରୋହର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରି ଦେଶ ମାତୃକା ପାଇଁ ତାଙ୍କର ତ୍ୟାଗ ଓ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଜିର ଯୁବ ପୀଢ଼ି, ଛାତ୍ର ଛାତ୍ରୀ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ଯ୍ୟକଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ବୋଲି ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡକ୍ଟର ରାଧାନାଥ ବେହେରା, ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ, ବକ୍ତା ଭାବରେ ଡକ୍ଟର ବିଜୟ ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ ଡକ୍ଟର ଚନ୍ଦ୍ର ଶେଖର ହୋତା, ପ୍ରାଧ୍ୟାପକ ରାଜୀବ ଜାଲ ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଅ ହରିଜନ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରାଣ ନାଥ ସେଠ, ବିଜୟ କୁମାର ଚୌଧୁରୀ, ନିରଞ୍ଜନ ମିଶ୍ର, ଜେମା ମଣି ବିଶୋଇ,ମନୋରମା ମାଝୀ, ପ୍ରଭାସିନୀ ମହାନ୍ତି, ସିରାଜ୍‌ ଉଦିନ ଅହମଦ, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ନୀଆଲ୍‌ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

Comments (0)
Add Comment