ବଢ଼ିଲା ସବୁ ବର୍ଗ ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର: ପୂଜା ପୂର୍ବରୁ ରାଜ୍ୟ ସରକାର ଶ୍ରମିକଙ୍କୁ ଖୁସି ଖବର ଦେଇନ୍ତି । ଦୈନିକ ଭତ୍ତା ବା ମଜୁରୀ ୬ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣକୁଶଳୀ ଶ୍ରମିକ ୪୭୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୫୨୮ ଟଙ୍କା,କୁଶଳୀ ଶ୍ରମିକ ୫୭୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୬୨୮ ଟଙ୍କାରେ ପହଞ୍ଚିଛି ।
ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସୂଚନା ଅନୁସାରେ ଚଳିତ ମାସ ୧ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୬ ଟଙ୍କାର ବୃଦ୍ଧି କରାଯାଇଛି। ତାହାର ପ୍ରଭାବରେ ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରି ୪୭୨ ଟଙ୍କାରୁ ବୃଦ୍ଧି ପାଇ ୪୭୮ ଟଙ୍କା ହୋଇଛି।
ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୫୨୨ ଟଙ୍କାରୁ ବଢ଼ି ୫୨୭ଟଙ୍କା ହୋଇଛି। କୁଶଳୀ ଶ୍ରମିକଙ୍କ ମଜୁରି ୫୭୨ ଟଙ୍କାରୁ ବୃଦ୍ଧି ପାଇ ୫୭୮ ଟଙ୍କା ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ୬୨୨ ଟଙ୍କାରୁ ବଢ଼ି ୬୨୮ ଟଙ୍କା ହୋଇଛି। ପ୍ରତିବର୍ଷ ଏପ୍ରିଲ ୧ ଓ ଅକ୍ଟୋବର ୧ରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ କରାଯାଇଥାଏ। ଶିଳ୍ପ ଶ୍ରମିକମାନଙ୍କ ପାଇଁ ଜାରି ହେଉଥିବା ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କକୁ ସେଥିପାଇଁ ବିଚାରକୁ ନିଆଯାଇଥାଏ। ସେହି ସୂଚକାଙ୍କ ସଂଖ୍ୟା ହାରାହାରି ୧୪୭.୫୦ରୁ ବୃଦ୍ଧି ପାଇ ୧୪୯.୮୦ରେ ପହଞ୍ଚିଛି।
ସେଥିପାଇଁ ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ବର୍ଷର ଦ୍ୱିତୀୟ ଭାଗ ପାଇଁ ମହଙ୍ଗା ଭତ୍ତାରେ ପରିବର୍ତ୍ତନ ଆବଶ୍ୟକ ହେଉଥିଲା। ସେହି ଅନୁସାରେ ଶ୍ରମ ଆୟୁକ୍ତଙ୍କ ସମ୍ମତି ଆଧାରରେ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି।

Comments (0)
Add Comment