ପୋଲ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କଠାରୁ ଜଗତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଫେଜ-୨ର ରାସ୍ତା ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ଚାଲୁଅଛି । ତେବେ ଏହି ରାସ୍ତାରେ ଥିବା ପୋଲଗୁଡିକ ମଧ୍ୟ ନୂତନ ଭାବେ କରାଯାଉଛି । କିନ୍ତୁ ଠିକାଦାର ନିଜ ଇଚ୍ଛାରେ ପୋଲ ନିର୍ମାଣ କାର୍ଯ୍ୟ କରିବା ଓ କେତେକ ପୋଲ ନିର୍ମାଣ ନକରିବା ଏବଂ ଏହାକୁ ପୋତିଦେବା ଦ୍ୱାରା ଏହି ପୋଲ ଦ୍ୱାରା ଜଳସେଚନ ହେଉଥିବା ପ୍ରାୟ ୧୦ ଏକର ଚାଷଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏନେଇ ବାରମ୍ବାର ସମ୍ପୃକ୍ତ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ । ଆଜି ଉକ୍ତ ରାସ୍ତାରେ ପିଚୁ କରିବା ପ୍ରସ୍ତୁତ ହେଉଥିବା ବେଳେ ଲଷ୍ମୀପ୍ରସାଦ ପଂଚାୟତର ମାହାରସାହିବାସୀ ଖମାରସାହି ଠାରେ ଜହ୍ନାପଙ୍କ-ଜଗତି ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ପୂର୍ବତନ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ମନରଞ୍ଜନ ପୁରୋହିତ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସହିତ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ । ଆଲୋଚନା ପରେ ଖାମାରସାହିଠାରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା । ସୂଚନାଯୋଗ୍ୟ ଯେ ରାସ୍ତା ନିର୍ମାଣ ପୂର୍ବରୁ ଯେଉଁ ଗ୍ରାମ ଦେଇ ରାସ୍ତା ନିର୍ମାଣ ହେଉଛି ସେହି ଗ୍ରାମ ଲୋକଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରିବା କଥା । କିନ୍ତୁ ଠିକାଦାର ନିଜ ସ୍ୱାର୍ଥରେ ବାଧା ସୃଷ୍ଟି ହେବା ଆଶଙ୍କା କରି କମିଟି ଗଠନ କରିନାହାନ୍ତି । ଯାହା ଫଳରେ କେଉଁଠି ପୋଲ ଦେଉନଥିବା ବେଳେ କେଉଁଠି ତ୍ରୁଟିପୂର୍ଣ୍ଣ ପୋଲ ନିର୍ମାଣ କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଜହ୍ନାପଙ୍କ କେନାଲ ପୋଲକୁ ଯଦି ସଳଖ କରାନଯାଏ ତେବେ ଆଗାମୀ ଦିନରେ ମଧ୍ୟ ଜହ୍ନାପଙ୍କ ଗ୍ରାମବାସୀ ରାସ୍ତା ଅବରୋଧ ସହିତ ରାସ୍ତା ନିର୍ମାଣ କରାଇନଦେବାକୁ ଚେତାବନୀ ଦେଇଛନ୍ତି ।

Comments (0)
Add Comment