ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ସମେତ ଦଳର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଶନିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଛି। ଦିଲ୍ଲୀର ଜନ୍ତରମନ୍ତର ଠାରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ପାଇଁ ସେମାନେ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) ରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିଶନର (ସିଇଓ) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା।
ପାର୍ଟି ପକ୍ଷରୁ ମିଳିଥିବା ସୂଚନା ଏବଂ ଘଟଣାସ୍ଥଳର ଲାଇଭ୍ ଅପଡେଟ୍ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ବିମାନ ଅବତରଣ କରିବା ମାତ୍ରେ ଦିଲ୍ଲୀ ପୋଲିସର ଏକ ଟିମ୍ ସିଧାସଳଖ ବିମାନର କ୍ୟାବିନ୍ ଭିତରେ ପ୍ରବେଶ କରି ନେତାମାନଙ୍କୁ ଅଟକାଇଥିଲେ। ପୋଲିସର ଏଭଳି ଆଗୁଆ ପଦକ୍ଷେପକୁ ନେତାମାନେ ବିରୋଧ କରିଥିଲେ ସୁଦ୍ଧା, ପୋଲିସ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ବିମାନରୁ ଓହ୍ଲାଇ ଅଟକ ରଖିଥିଲା।
ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୪୦,୦୦୦ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏହା ସହିତ ୪୫ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଥିବା ବେଳେ ବ୍ୟାପକ ସଂଖ୍ୟାରେ ଟ୍ରେନ୍ ବାତିଲ୍ କରାଯାଇଛି। ଆନ୍ଦୋଳନକାରୀଙ୍କୁ ଅଟକ ରଖିବା ପାଇଁ ସହରର ବିଭିନ୍ନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ବା ଖେଳ ପଡ଼ିଆ ଗୁଡ଼ିକୁ ଅସ୍ଥାୟୀ ଜେଲ୍ ରେ ପରିଣତ କରାଯାଇଛି।
ନିଜ ନେତାମାନଙ୍କ ଅଟକକୁ କକ୍ରୋଚ୍ ଜନତା ପାର୍ଟି (ସିିଜେପି) ତୀବ୍ର ନିନ୍ଦା କରିଛି। ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ବିରୋଧ ପ୍ରଦର୍ଶନ ଏବଂ ସ୍ୱାଧୀନ ଚଳପ୍ରଚଳ ଅଧିକାରକୁ ଦମନ କରିବା ପାଇଁ ସରକାର ଏଭଳି ଏକଛତ୍ରବାଦୀ ମନୋଭାବ ପୋଷଣ କରୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରୁଥିବା ନେତାମାନଙ୍କ ପ୍ରତି ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ବିପଦ ବୋଲି ଦଳ ଅଭିଯୋଗ କରିଛି।