କଳା ବାଘୁଣୀର ମୃତ୍ୟୁ, ଚାଲିଛି କାରଣ ଖୋଜା

ମୟୁରଭଞ୍ଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏକ କଳା ବାଘୁଣୀର ମୃତ୍ୟୁ ହୋଇଛି । ବାଘୁଣୀର ବୟସ ୫ ବର୍ଷ ହେବ । ଗତକାଲି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଘୁଣୀର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ସାପ କାମୁଡ଼ା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ବନ ବିଭାଗ ଡାକ୍ତରୀ ଟିମ୍ ସନ୍ଦେହ କରୁଛନ୍ତି ବୋଲି ଶିମିଳିପାଳ ଟାଇଗର ସଂରକ୍ଷଣର ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗୀନେନୀ ସୂଚନା ଦେଇଛନ୍ତି । 

ଶିମିଳିପାଳ ଉଦ୍ୟାନ ପକ୍ଷରୁ ଏକ ପ୍ରେସ ବିବୃତ୍ତି ଜରିଆରେ ବାଘୁଣୀ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି । ଗତ ୬ ତାରିଖ ସନ୍ଧ୍ୟା ସମୟରେ ଶିମିଳାପାଳ ଦକ୍ଷିଣ ଡିଭିଜନ ଜେଟିଆଣି କ୍ୟାମ୍ପ୍ ଭିତରେ  ବନ ବିଭାଗ ପାଟ୍ରୋଲିଂ ଟିମ୍ ବାଘୁଣୀର ମୃତଦେହକୁ ଠାବ କରିଥିଲେ । ଏହା ପରେ ଡାକ୍ତରୀ ଟିମ୍ ଏବଂ କ୍ଷେତ୍ର ନିର୍ଦ୍ଦେଶକ ଘଟଣାସ୍ଥଳକୁ ଯାଇଥିଲେ । ଫିଲ୍ଡ ଡିରେକ୍ଟର ଡା ପ୍ରକାଶ ଚାନ୍ଦ ଗୋଗିନେନି, ପଶୁ ଚିକିତ୍ସକ ଡା ଅଭିଳାଶ ଆଚାର୍ଯ୍ୟ, ଡା ପ୍ରୀତିପ୍ରସନ୍ନ ସାହୁ ଏବଂ ଏନଟିସିଏର ଆସିଷ୍ଟାଣ୍ଟ ପ୍ରଫେସର ଡା ସୁଭାନୀ ରଥଙ୍କ ଟିମ୍ ଘଟଣା ସ୍ଥଳକୁ ଯାଇଥିଲେ ।  ବାଘୁଣୀର ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏ ମାର୍ଗଦର୍ଶିକା ଅନୁଯାୟୀ ମୃତ ବାଘୁଣୀର ଭିଡ଼ିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ବାଘୁଣୀର ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ । ସିଡବ୍ଲ୍ୟଏଚ୍ ଏବଂ ଓୟୁଏଟି ଟିମ୍ ରିପୋର୍ଟ ପ୍ରଦାନ କରିବେ । 

Comments (0)
Add Comment