ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଗଡ଼ିଲା ହରିଶଙ୍କର ଦର୍ଶନ ବସ

ପାଟଣାଗଡ/ଖୋପ୍ରାଖୋଲ଼ : ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର କମିଟି ପାଟଣାଗଡ଼ ତରଫରୁ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ହରିଶଙ୍କର ଦର୍ଶନ ନାମକ ଏକ ଟୁରିଷ୍ଟ ବସ୍‌ ବଲାଙ୍ଗୀରରୁ ହରିଶଙ୍କର ଚଳାଚଳ ପାଇଁ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଏହି ଟୁରିଷ୍ଟ ବସ୍‌ ସପ୍ତାହର ପ୍ରତ୍ୟେକ ଶୁକ୍ରବାର ,ଶନିବାର ଓ ରବିବାର ଦିନ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ପାଟଣାଗଡ଼ରେ ଅଟକି ପ୍ରସିଦ୍ଧ ଐତିହାସିକ ଦେବୀ ପୀଠ, ପାଟଣେଶ୍ୱରୀ, ସମ୍ବଲେଶ୍ୱରୀ, ଦଶମତୀ ଆଦି ମନ୍ଦିର ମାନ ପର୍ଯ୍ୟଟକ ମାନେ ଦର୍ଶନ କରିପାରିବାର ସୁବିଧା ରହିଛି । ବଲାଙ୍ଗୀରରୁ ହରିଶଙ୍କର ଦର୍ଶନ କରିବା ପାଇଁ ବସଭଡା ୨୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ପର୍ଯ୍ୟଟକ ମାନେ ଅନ୍‌ ଲାଇନରେ ମଧ୍ୟ ଟିକଟର ସୁବିଧା ନେଇପାରିବେ ବୋଲି ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ସୂଚନା ଦେଇଛନ୍ତି । ଏଥିସହ ପୂର୍ବ ପରମ୍ପରା ଏହି ଅଞ୍ଚଳର ଜୀବନ ଶୈଳୀ ଓ ଜୀବନ ଜୀବିକାକୁ ବଞ୍ଚାଇରଖିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପ୍ରୟାସ କରିଯାଇଛି ।

ଅପରପକ୍ଷରେ ପର୍ଯ୍ୟଟକମାନେ ହରିଶଙ୍କର ମନ୍ଦିର ଦର୍ଶନ କରିବା ସହ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଦେଶିୟ ଖାଦ୍ୟପେୟ ତଥା ମାଣ୍ଡିଆ ରେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟର ଉପଭୋଗ ନେଇପାରିବେ ବୋଲି ଆକଂକ୍ଷା ଶକ୍ତି ସଞ୍ଚାୟକା ସଂଘର ସଭାନେତ୍ରୀ ବିଣାପାଣି ପ୍ରଧାନ ଓ ସଂପାଦିକା ଝରଣା କରନଙ୍କ ଠାରୁ ଜଣାପଡିଛି । ଟୁରିଷ୍ଟ ବସ୍‌ଟି ପାଟଣାଗଡ଼ରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ଶ୍ରୀ ସେଠି ଜରାଶ୍ରମରୁ ତିର୍ଥ ପାଇଁ ପ୍ରଥମ ଥର ପାଇଁ ଯାଇଥିବା ବୃଦ୍ଧ ବୃଦ୍ଧାମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଦର୍ଶନ ପରେ ସେମାନେ ଖୁସିରେ ବିଭୋର ହୋଇଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସମେତ ତହସିଲଦାର ଲକ୍ଷ୍ମଣ ମାଝୀ, ବିଡ଼ିଓ ସୁମନ୍ତ କୁମ୍ଭାର, ଆଇନଜୀବୀ ରାଣା ପ୍ରଧାନ, ଇନ୍ଦୁଭୁଷଣ ଠାକୁର , ସେବିକା ରାଜହଂସ, ସମାଜସେବୀ ସୁନୀଲ ଗଏଲ, ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment