ବିଶ୍ୱ ଏଡ଼୍‌ସ ଦିବସ ଅବସରରେ ଆଦିବାସୀ ମହାବିଦ୍ୟାଳୟରେ ସଚେତନତା ଶିବିର

ବାଲିଗୁଡ଼ା: ଆଜି ବିଶ୍ୱ ଏଡ଼୍‌ସ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ ରେଡ୍‌ ନିବନ୍ଧ କ୍ଲବ ପକ୍ଷରୁ ଏଡ଼୍‌ସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଓଡ଼ିଶା ଏଡ଼ସ୍‌ କଣ୍ଟ୍ରୋଲ ସୋସାଇଟିର କାଉଁସିଲର ଗୀତାଞ୍ଜଳୀ ପଣ୍ଡା, ବାଲିଗୁଡ଼ା ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ଯୁବ ରେଡକ୍ରସ୍‌ ଜିଲ୍ଲା ସଂଯୋଜକ ଡଃ ବିଭୁତି ଭୁଷଣ ଆଚାର୍ଯ୍ୟ, ରେଡକ୍ରସ୍‌ କାଉଁସିଲର ଦଣ୍ଡପାଣି ଭୂୟାଁ ପ୍ରମୁଖ ଯୋଗଦେଇ ଏଡ଼୍‌ସ ନିରାକରଣ ବିଷୟରେ ଆଲୋକପାତ କରିଥିଲେ । ୨୦୦୨ ମସିହାରୁ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ସମୁଦାୟ ୫୭ ହଜାର ୩୫୯ ଜଣ ଏଡ଼୍‌ସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସଚେତନତା ଓ ଉପଯୁକ୍ତ ଚିକିତ୍ସା କାରଣରୁ ରୋଗୀ ସଂଖ୍ୟା କମିବା ସହ ଚିହ୍ନଟ ରୋଗୀ ନିୟମିତ ଔଷଧ ସେବନ କରି ଉପକୃତ ହେଉଛନ୍ତି ବୋଲି କହିଛନ୍ତି କାଉଁସିଲର ଗିତାଞ୍ଜଳୀ ପଣ୍ଡା । ଜନସାଧାରଣ ସଚେତନତ ହେଲେ ସମାଜରୁ ଆମେ ଏହି ରୋଗ ସମୂଳେ ଦୂରେଇ ପାରିବା ବୋଲି କହିଛନ୍ତି ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା । ଅନ୍ୟପଟେ ଏହି ଶିବିରରେ ମହାବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଡ଼୍‌ସ ସମ୍ବନ୍ଧିତ କୁଇଜ୍‌, ଡିବେଟ୍‌ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ଶିବିରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Comments (0)
Add Comment