କରଞ୍ଜିଆ: ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ଆତ୍ମହତ୍ୟା କଲା ସ୍ଵାମୀ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ମୁଣ୍ଡ ଜଙ୍ଗଲରୁ ପୁଲିସ ଅଭିଯୁକ୍ତ ସ୍ଵାମୀର ମୃତଦେହ ଉଦ୍ଧାର କରିଛି।
ସୂଚନାନୁଯାୟୀ, ଗତ ୨୭ ତାରିଖ ଦିନ ବାଲିଭୋଳ ଗାଁର ଚନ୍ଦ୍ର ଟୁଡୁଙ୍କ ସହ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ଟୁଡୁଙ୍କର କୌଣସି କାରଣ ଯୋଗୁଁ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ର ଜ୍ୟୋତ୍ସ୍ନାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସ୍ତ୍ରୀର ମୃତ୍ୟୁ ହେବା ଜାଣି କେଉଁଆଡ଼େ ପଳାଇଥିଲେ। ଶନିବାର ସକାଳେ ଗାଁ ନିକଟସ୍ଥ ଜଙ୍ଗଲରୁ ଚନ୍ଦ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ଚନ୍ଦ୍ର ଜଙ୍ଗଲକୁ ଯାଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଆଜି ସ୍ୱାମୀ ଚନ୍ଦ୍ର ଟୁଡୁର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ପରେ କରଞ୍ଜିଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।