ବୃଦ୍ଧାଙ୍କ ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ

ପାଟଣାଗଡ଼ : ଲରମ୍ଭା ଥାନା ଦେଉଁଳ ଗାଁ ପଞ୍ଚାୟତ ଘୁମେରଗାଁର ବୃଦ୍ଧ ସ୍ୱାମୀଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧା ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁଙ୍କ ସ୍ତ୍ରୀ ରାଏମତି ( ୫୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ବୃଦ୍ଧ ଦମ୍ପତି ଟୋଲ ଗୋଟାଇବା ପାଇଁ ଯାଇଥିଲେ । କୌଣିସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବୃଦ୍ଧ ସ୍ୱାମୀ ହାଡୁ (୬୦) ରାଗି ଯାଇ ସେ ଧରିଥିବା ଏକ ବାଉଁଶ ଠେଙ୍ଗାରେ ବୃଦ୍ଧା ସ୍ତ୍ରୀ ରାଏମତୀଙ୍କ ମୁଣ୍ଡରେ ଠେଙ୍ଗା ପରେ ଠେଙ୍ଗା ପ୍ରହାର କରିଥିଲେ । ଫଳରେ ବୃଦ୍ଧା ଜଣକ ଛଟପଟ ହୋଇ ତଳେ ପଡିଯାଇଥିଲେ । କିଛି ସମୟ ପରେ ବୃଦ୍ଧ ସ୍ୱାମୀ ଜଣକ ସାଙ୍ଗରେ ନେଇ ଥିବାପାଣି ବୋତଲରୁ ସ୍ତ୍ରୀ ମୁହଁକୁ ପାଣି ସଞ୍ଚିନ କରିବା ସହ ସ୍ତ୍ରୀର ନାମ ଧରି ଡାକି ଥିଲେ । କୌଣସି ପ୍ରତି ଉତ୍ତର ନପାଇବାରୁ ବୃଦ୍ଧ ଜଣକ ସ୍ତ୍ରୀକୁ କୋଳରେ ଧରି କାନ୍ଦିବାକୁ ଲାଗିଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ଘଟଣା ସ୍ଥଳକୁ ଆସି ନିଜ ସ୍ତ୍ରୀ କୁ ମାରିଦେଲୁ ଏବେ ପୁଲିସ ଆସିଲେ ଜେଲ ଯିବୁ ବୋଲି କହିବାରୁ ବୃଦ୍ଧ ଜଣକ ପୁଲିସ ଭୟରେ କାନ୍ଦି କାନ୍ଦି ସ୍ତ୍ରୀକୁ ଛାଡ଼ିଦେଇ ଜଙ୍ଗଲ ଭିତରକୁ ପଲାଇ ଯାଇଥିଲେ । ଖବର ପାଇ ସନ୍ଧ୍ୟା ସମୟରେ ଲରମ୍ଭା ଥାନା ଅଧିକାରୀ ଶୁଶାନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ବୃଦ୍ଧାଙ୍କ ଶବ ଜବତ କରି ଅଭିଯୁକ୍ତ ବୃଦ୍ଧ ହାଡୁଙ୍କୁ ଥାନାରେ ଅଟକ ରଖିଥିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କଠାରୁ ଜଣାପଡିଛି ।

Comments (0)
Add Comment