ଟାଟା ପାୱର କମ୍ପାନୀର ମନୋମୁଖୀ କାର୍ଯ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର:ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଗଲାପରେ ଗ୍ରାହକ ମହଲରେ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । କରୋନା ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍‌ଟେଜ ସମସ୍ୟା, ଶୁଳ୍କ ଆଦାୟ ସମୟରେ କର୍ମଚାରୀଙ୍କ ଦାଦାଗିରି, ତ୍ରୁଟିପୂର୍ଣ୍ଣ ବିଲ, ବିଦ୍ୟୁତ ବିଭାଗୀୟ ଭିଜିଲେନ୍ସ ଚଢ଼ାଉ ନାଁ ରେ ମନଇଚ୍ଛା ତଣ୍ଡ, ବେନିୟମ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା, ବିଦ୍ୟୁତ ବିଭ୍ରାଟ ହେଲେ ସୂଚନା ପାଇବା ପାଇଁ ଫୋନ ମାଧ୍ୟମ ରେ ଯୋଗାଯୋଗ କଲେ ବିଭାଗୀୟ ଅଧିକାରୀଙ୍କ ଅଶାଳୀନ ଓ ଖାମଖିଆଳି ଉତ୍ତର ଭଳି ଅନେକ ଅଭିଯୋଗମାନ ଦୃଷ୍ଟିଗୋଚର ହେଉଅଛି । ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ଼ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅଞ୍ଚଳର ସମସ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ଓ ତାପଜ ବିଦ୍ୟୁତ ପ୍ରକଳ୍ପରେ ଅଞ୍ଚଳବାସୀ ଭୂମିହରା, ବାସହରା ହୋଇଛନ୍ତି । ଏହା ସହିତ ସେମାନେ ଧୂଆଁ, ଧୁଳି, ଗରମ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ର ଶିକାର ହେଉଛନ୍ତି । ସମସ୍ତ ପ୍ରକାର ତ୍ୟାଗ ଓ ବଳିଦାନ ସତ୍ତେ୍ୱ୍ୱ ଅଞ୍ଚଳବାସୀଙ୍କୁ ବିଭାଗୀୟ ନିଯୁକ୍ତି ମିଳୁନାହିଁ । ଏଣୁ ଆଜି ସମ୍ବଲପୁର ଭାଜପା ପକ୍ଷରୁ ସ୍ଥାନୀୟ ଅଇଁଠାପାଲି ସ୍ଥିତ ଟି.ପି.ଡବ୍ଲୁ.ଓ.ଡି.ଏଲ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କରା ଯାଇ ଥିଲା । ପାର୍ଟି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବିଭାଗୀୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଅଧିକ୍ଷଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ବାହୀ ଯନ୍ତ୍ରୀ ଡ଼ମ୍ବୁରୁଧର ଓଝାଙ୍କ ସହିତ ଆନ୍ଦୋଳନକାରୀ ଆଲୋଚନା କରିଥିଲେ । ସେମାନେ ନିଜ ନିଜ ଅଭିଯୋଗ ଉପସ୍ଥାପନ କଲା ପରେ ଇଂ ଓଝା ଅଭିଯୋଗ ଗୁଡିକୁ ଉଚ୍ଚ଼ପଦସ୍ଥ ଅଧିକାରୀଙ୍କୁ ଜଣେଇବା ସଙ୍ଗେ ସଙ୍ଗେ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ସମସ୍ତ ପ୍ରକାର ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଦିଅ ଯାଉ ବୋଲି ଭାଜପା ଦାବି କରିଛି । ଆସନ୍ତା ୨-୩ ଦିନ ମଧ୍ୟରେ ଟିପିଡବ୍ଲୁଓଡିଏଲ ର ଉଚ୍ଚ଼ପଦସ୍ଥ ଅଧିକାରୀଙ୍କ ସହିତ ପାର୍ଟିର ଏକ ପ୍ରତିନିଧି ଦଳର ବୈଠକ କରାଇବାକୁ ଦାବି କରାଯାଇଛି । ଆଜିର ଏହି ଘେରାଓ କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବରିଷ୍ଠ ପାର୍ଟି ନେତା ବେଣୁଧର ଦାଶ, ଦାମୋଦର କର, କର୍ଣ୍ଣେଲ ପ୍ରଭାତ ପଣ୍ଡା, ସୁନୀଲ ନନ୍ଦ, ମହେନ୍ଦ୍ର ମିଶ୍ର, ପ୍ରଦୀପ ସୁପକାର, ଅନୁପ ମିଶ୍ର, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଜିଲ୍ଲା ଉପସଭାପତି ଫଣି ଭୂଷଣ ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ନିଲାମ୍ବାର ସିକନ୍ଦର, ଜିଲ୍ଲା ପ୍ରବକ୍ତା ଅରବିନ୍ଦ ନାଏକ ଓ ଅନ୍ୟମାନେ ସାମିଲ ଥିଲେ ।

Comments (0)
Add Comment